କ୍ୱାରେଣ୍ଟାଇନ ସେଣ୍ଟରରେ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଥିବା ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟର ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏସବୁ କେନ୍ଦ୍ରରେ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ଏହି ଗାଇଡଲାଇନ ଜାରି କରିଛନ୍ତି। କ୍ୱାରେଣ୍ଟାଇନରେ କ’ଣ ସବୁ କରିବେ ଓ କ’ଣ ନକରିବେ ସେସବୁକୁ ନେଇ ଓଡ଼ିଆରେ ଲେଖା ହୋଇଥିବା ଗାଇଡଲାଇନ ସମସ୍ତ କେନ୍ଦ୍ରରେ ପ୍ରଦର୍ଶିତ ହେବ। ଯଦି କାହା ପାଖରେ ଲକ୍ଷଣ ଦେଖାଦେବ ତେବେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯିବ ଓ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯିବ। ଯେଉଁ କ୍ୱାରେଣ୍ଟାଇନ ସେଣ୍ଟରରେ କୌଣସି ଅନ୍ତେବାସୀ ନଥିବେ ତାକୁ କୋଭିଡ କେୟାର ସେଣ୍ଟରରେ ପରିବର୍ତ୍ତନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ, ୫ ବର୍ଷରୁ କମ୍ ବୟସର ଶିଶୁ, ଦିବ୍ୟାଙ୍ଗ ବ୍ୟକ୍ତି, ୬୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଓ କିନ୍ନରଙ୍କୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି। ମେଡିକାଲ କ୍ୟାମ୍ପରେ ସାମାଜିକ ଦୂରତ୍ୱ ପାଳନ ସହ ଯଦି ସମ୍ଭବ ହୁଏ ସିସିଟିଭି ସର୍ଭିଲାନ୍ସରେ ରଖିବାକୁ କୁହାଯାଇଛି।