ପୁଲିସ ଉପରକୁ ପ୍ରବାସୀ ଶ୍ରମିକଙ୍କ ଢେଲାମାଡ଼

ସୁରତ,ଏଜେନ୍ସି : ଭିଟାମାଟିକୁ ଫେରିଯିବା ଦାବିରେ ଗୁଜରାଟର ସୁରତରେ ପ୍ରବାସୀ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ସହ ହାତାହାତି ହେବାକୁ ପଛାଇ ନାହାନ୍ତି। ଶନିବାର ଶତାଧିକ ପ୍ରବାସୀ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଗାଡ଼ି ଉପରକୁ ଢେଲାମାଡ଼ କରିଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ଲୋକମାନେ ଅଛନ୍ତି। ଖବରରୁ ଜଣାପଡ଼ିଛି, ଗୁଜରାଟର ହାଜିରା ଶିଳ୍ପାଞ୍ଚଳରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନେ ନିକଟସ୍ଥ ମୋରା ଗ୍ରାମରେ ବସବାସ କରୁଥିଲେ। ଲକ୍ଡାଉନ୍ କାରଣରୁ ଶିଳ୍ପସଂସ୍ଥା ବନ୍ଦ ହୋଇଯିବାରୁ ଶ୍ରମିକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଅନ୍ୟ ପକ୍ଷରେ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ କାରଣରୁ ସେମାନଙ୍କର ଭିଟାମାଟିକୁ ଫେରିବା ଆଶା କ୍ରମେ ଫେଲ୍ ମାରିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଭିଟାମାଟିକୁ ପଠାଯିବାର ବନ୍ଦୋବସ୍ତ କରାଯାଉ ବୋଲି ଦାବି କରି ପ୍ରବାସୀ ଶ୍ରମିକମାନେ ଲକ୍ ଡାଉନ୍ ନିୟମକୁ ଉଲ୍ଲଙ୍ଘନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ୫୦ରୁ ଅଧିକ ଶ୍ରମିକଙ୍କୁ ଗିରଫ କରିଛି। ପରିସ୍ଥିତିକୁ ଆୟତ୍ତାଧୀନ କରିବା ପାଇଁ ରାଜ୍ୟ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି।