ମାଲକାନଗିରି,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକ ନିଜ ନିଜର ଦାୟିତ୍ତ୍ୱ ସମ୍ପାଦନ କରୁଛନ୍ତି। ଏଭଳି ସ୍ଥିତିିରେ ବହୁ କରୋନା ଯୋଦ୍ଧା ଆତ୍ମୀୟ ପରିଜନଙ୍କ ଅନ୍ତ୍ୟୋଷ୍ଟିକ୍ରିୟାରେ ଯୋଗଦେବାକୁ ମଧ୍ୟ ଯାଇପାରୁ ନାହାନ୍ତି। ମାଲକାନଗିରି ଜିଲ୍ଲାର ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକ କର୍ତ୍ତବ୍ୟ ଆଗରେ ସମ୍ପର୍କକୁ ପଛରେ ପକାଇ ଭଉଣୀଙ୍କ ଅନ୍ତ୍ୟୋଷ୍ଟିକ୍ରିୟାରେ ଯୋଗ ଦେଇନଥିବା ଜଣାପଡ଼ିଛିି। ମାଲକାନଗିରି ବର୍ତ୍ତମାନ ସୁଦ୍ଧା ଗ୍ରୀନ ଜୋନରେ ଥିବାବେଳେ ଜିଲ୍ଲାବାସୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ସମସ୍ତେ ଲାଗିପଡ଼ିଥିବା ବେଳେ ଖଇରପୁଟ ତହସିଲଦାର ଶ୍ରୀ ନାୟକ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ତେବେ ଏହି ସମୟରେ ସୁନାବେଡ଼ାରେ ରହୁଥିବା ତାଙ୍କ ଭଉଣୀ ତୁଳା କାଡ଼ାମ(୩୫)ଙ୍କ ଅକାଳ ବିୟୋଗ ହୋଇଥିବା ଖବର ପାଇଥିଲେ। ସେପଟେ ଭଉଣୀର ଅନ୍ତ୍ୟୋଷ୍ଟିକ୍ରିୟା ସମ୍ପନ୍ନ ହେଉଥିବା ବେଳେ ସେ ଏଠାରେ କରୋନା ବିରୋଧରେ ଲଢ଼େଇ ଜାରି ରଖିଥିଲେ। ସେ ଚାହିଁଥିଲେ ୨ ଘଣ୍ଟା ମଧ୍ୟରେ ଅନ୍ତ୍ୟୋଷ୍ଟିକ୍ରିୟାରେ ପହଁଚି ପାରିଥାନ୍ତେ କିନ୍ତୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ଓ କରୋନା ବିରୋଧି ଲଢ଼େଇରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ପ୍ରଧାନ୍ୟ ଦେଇଥିଲେ।