ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରୋଗୀଙ୍କ ଡିସଚାର୍ଜକୁ ନେଇ ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ରୋଗୀଙ୍କଠାରେ ଦେଖାଯାଉଥିବା ଲକ୍ଷଣକୁ କେନ୍ଦ୍ର କରି ୩ଟି ବିଭାଗରେ ବିଭକ୍ତ କରାଯାଇଛି। ୩ଟି ବିଭାଗର ରୋଗୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବାର ଭିନ୍ନ ଭିନ୍ନ ନିୟମ ରହିଛି।
ପ୍ରଥମତଃ ଖୁବ୍ ସ୍ୱଳ୍ପ ଲକ୍ଷଣ ଦେଖାଯାଉଥିବା ରୋଗୀ ଅର୍ଥାତ ଯଦି ଏମାନଙ୍କୁ ୩ ଦିନ ପର୍ଯ୍ୟନ୍ତ ଜ୍ୱର ନଆସେ ତେବେ ୧୦ ଦିନ ପରେ ହସ୍ପିଟାଲରୁ ଛୁଟି ମିଳିପାରିବ। ଡିସଚାର୍ଜ ପୂର୍ବରୁ କରୋନା ଟେଷ୍ଟ ଦେବାକୁ ପଡ଼ିବନି। ଗାଇଡଲାଇନ ମୁତାବକ ରୋଗୀକୁ ଡିସଚାର୍ଜର ୭ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଦ୍ୱିତୀୟରେ ଟିକେ ଗମ୍ଭୀର ରୋଗୀ ଅର୍ଥାତ୍ ଯଦି ୩ ଦିନ ପର୍ଯ୍ୟନ୍ତ ଏମାନଙ୍କୁ ଜ୍ୱର ନହୁଏ ଓ ଅକ୍ସିଜେନ ସେଚୁରେଶନ ୯୫ ପ୍ରତିଶତରୁ ଅଧିକ ରୁହେ ତା’ହେଲେ ଦଶ ଦିନ ପରେ ଡିସଚାର୍ଜ କରିଦିଆଯିବ। ଏମାନଙ୍କୁ ମଧ୍ୟ କରୋନା ଟେଷ୍ଟ ଦେବାକୁ ପଡ଼ିବନି ଓ ଡିସଚାର୍ଜର ୭ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। ତୃତୀୟରେ ଗମ୍ଭୀର ଲକ୍ଷଣଯୁକ୍ତ ରୋଗୀଙ୍କଠାରେ ନିୟମ ଟିକେ ଶକ୍ତ ରହିଛି। ସେମାନଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯିବ। କ୍ଲିନିକାଲ ଲକ୍ଷଣ ଦୂର ହେବା ପରେ ହିଁ ଡିସଚାର୍ଜ କରାଯିବ। ଏହାସହ କରୋନା ଟେଷ୍ଟ ନେଗେଟିଭ ଆସିବା ଦରକାର। ଏଥିସହିତ ଏଚ୍ଆଇଭି କିମ୍ବା ଅନ୍ୟ ଗମ୍ଭୀର ରୋଗଯୁକ୍ତ ରୋଗୀଙ୍କର ଆରଟି-ପିସିଆର ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ଡିସଚାର୍ଜ କରାଯିବ।