ରାୟଗଡା,ଏନ୍ଏନ୍ଏସ୍ : କଟକଣା କୋହଳ ପରେ ବଢୁଛି ଗହଳି । ମାନୁନାହାନ୍ତି ସାମାଜିକ ଦୂରତ୍ୱ, ବିନା ମାସ୍କରେ ବୁଲୁଛନ୍ତି ମାଳମାଳ ସହରବାସୀ। କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ତାଲା ବନ୍ଦ ଘୋଷଣା ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନିୟମ କଡ଼ାକଡ଼ି ରହିଥିବାବେଳେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ନିୟମରେ ସରକାରଙ୍କ ଜାରି ମାର୍ଗଦର୍ଶୀକା ଅନୁଯାୟୀ ଜିଲା ପ୍ରଶାସନ କୋହଳ ମନବୃତି ଆପଣାଇଛି । ନୂତନ ନିୟମ ମୁତାବକ, ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଜିଲାରେ ସମସ୍ତ ଅତ୍ୟାବଶ୍ୟକୀୟ ଦୋକାନ ବାଜର ଖୋଲା ରହିବ। ଖାଦ୍ୟ ପାନୀୟ, ରାସନ ଦୋକାନ, ପନିପରିବା, ପୋଷାକ ଦୋକାନ ଓ ଅନ୍ୟ ଆସାବପତ୍ର ଦୋକାନ ଗୁଡିକ ଜିଲାରେ ଖୋଲା ରଖିବାକୁ ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ନିର୍ଦ୍ଦେଶ ଜାରି କରିଥିଲେ।
ଅନୁରୂପ ଔଷଧ ଦୋକାନ , ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କେନ୍ଦ୍ର, ଗ୍ୟାରେଜ, ଇଲୋକଟ୍ରୋନକ୍ସି ଆପ୍ଲାଏନ୍ସ ଦୋକାନ ଆଦି ଦିନ ସାରା ଖୋଲା ରଖିବାକୁ ବିଜ୍ଞପ୍ତରେ ଉଲ୍ଲେଖ ରହିଥିଲା। ତେବେ ଗ୍ରୀନ ଜୋନରେ ରାୟଗଡା ରହିଥିବାବେଳେ ଏଠାରେ ବସ ଚଳାଚଳ ଓ ଚାରି ଚକିଆ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇପାରି ନାହିଁ। ଶିକ୍ଷାନୁଷ୍ଠାନ, ଧାର୍ମିକସ୍ଥଳୀ, ରାଜନୈତିକ, ସାମାଜିକ ଓ ଧାର୍ମିକ ସଭା ସମିତି ଏବଂ ସମାବେଶ ଇତ୍ୟାଦି କାର୍ଯ୍ୟକ୍ରମଗୁଡିକ ଜିଲାରେ ବନ୍ଦ ରଖାଯାଇଛି। ସେହିପରି ମଦ ଦୋକାନ, ପାନ ଦୋକାନ, ଚା’ ଦୋକାନ, ସେଲୁନ, ପାର୍ଲର, ଜିମ, ସ୍ୱିମିଇଂ ପୁଲ, ପ୍ରେକ୍ଷାଳୟ, ସପିଂ ମଲ ଓ ସ୍ପୋର୍ଟ୍ସ କମପ୍ଲେକ୍ସ ଆଦି ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକୁ ଜିଲାରେ ବନ୍ଦ ଘୋଷଣା କରାଯାଇଛି। କିନ୍ତୁ ଉପରୋକ୍ତ ଦୋକାନ ବଜାର ଖୋଲିବା ବେଳକୁ ପ୍ରାତଃ ସମୟରୁ ସହରରେ ଭିଡ ପରିଲିକ୍ଷିତ ହେଉଛି।
ସ୍ଥାନୀୟ ପୁଲିସ ପକ୍ଷରୁ କଟକଣା କୋହଳ ହେବା ପର ଠାରୁ ସହରର ବିଭିନ୍ନ ଦୋକାନ ବୁଲି ବ୍ୟବସାୟୀଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା ଓ ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ସାମଗ୍ରୀ ପ୍ରଦାନ ନକରିବା ପାଇଁ ସଚେତନ କରାଯାଇଥିଲା। ତେବେ ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ପ୍ରଶାସନ ଦ୍ୱାରା କଡା ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ସହରରେ ଅନେକ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ତହସିଲଦାର ଉମାଶଙ୍କର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଧିକାଂଶ ଲୋକେ ବଜାରରେ ବୁଲିବା ସମୟରେ ମାସ୍କ ବ୍ୟବହାର କରୁଛନ୍ତି । କିଛି ଅଭ୍ୟାସଗତ ଅମାନିଆ ବ୍ୟକ୍ତି ଆଇନ ଅବମାନନା କରୁଛନ୍ତି। ତେଣୁ ଏଥିପ୍ରତି ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ସହରରେ ଯାଚଂକୁ କଡ଼ାକଡ଼ି କରାଯିବା ସହ ଆଇନ ଉଲଙ୍ଘନକାରୀ ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।