ଭୁବନେଶ୍ୱର,ଏନ୍ଏନ୍ଏସ୍ : ଜଣେ ଯୁବତୀଙ୍କୁ ଭଲ ପାଇବା ଏବଂ ପରବର୍ତ୍ତୀ ସମୟରେ ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଏସଆଇ ରାକେଶ ସାମଲଙ୍କୁ ଗୁରୁବାର ଭୁବନେଶ୍ୱର ଡିସିପି ଅନୁପ ସାହୁ ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ଏନେଇ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୀଡ଼ିତା ଯୁବତୀ ଜଣଙ୍କ ମଧ୍ୟାହ୍ନରେ ଅତିରିକ୍ତ ପୋଲିସ କମିଶନରଙ୍କୁ ଭେଟିବା ସହ ତାଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ଦାବି କରିଛନ୍ତି। ଏଥିସହ ତୁରନ୍ତ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଏସଆଇ ରାକେଶ ସାମଲଙ୍କୁ ଗିରଫ କରିବାକୁ ପୀଡ଼ିତା ଜଣଙ୍କ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ଜଣଙ୍କ ଉଚ୍ଚଶିକ୍ଷିତା। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ସେ ଭୁବନେଶ୍ୱରରେ ଭଡ଼ାରେ ରହିବା ସହ ଏକ ଘରୋଇ କମ୍ପାନୀରେ ଚାକିରୀ କରିଛନ୍ତି। ୨୦୧୯ ଅଗଷ୍ଟ ମାସରେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କର ଏସଆଇ ରାକେଶ ସହ ପରିଚୟ ହୋଇଥିଲା। ପରେ ଯୁବତୀ ଜଣଙ୍କ ସହ ରାକେଶ ନିୟମିତ କଥାବାର୍ତ୍ତା ହେବା ସହ ନିଜେ ଜଣେ ପୋଲିସ ବୋଲି ପରିଚୟ ଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଭଲପାଇବା ସମ୍ପର୍କ ସ୍ଥାପନ ହୋଇଥିଲା। ତେବେ ରାକେଶ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ବିଭିନ୍ନ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। ଏପରିକି ରାକେଶଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ କରିବ ବୋଲି କଥାବାର୍ତ୍ତା କରିଥିଲେ।
ଏହିକ୍ରମରେ ଉଭୟ ରାକେଶ ଏବଂ ସମ୍ପୃକ୍ତ ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଭଡ଼ାଘରେ ଏକାଠି ମଧ୍ୟ ରହିଥିଲେ। ତେବେ ଜାନୁୟାରୀ ୨୦୨୦ ମସିହାରେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିପାରି ଏନେଇ ରାକେଶଙ୍କୁ କହିଥିଲେ। ତେବେ ଏଥିରେ ରାକେଶ ରାଗି ଯିବା ସହ ଗର୍ଭନଷ୍ଟ କରିବାକୁ କହିଥିଲେ। ଏପରିକି ସେ ଯୁବତୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବହୁବାର ମାରଧର କରିବା ସହ ଗର୍ଭନଷ୍ଟ ପାଇଁ ଔଷଧ ମଧ୍ୟ ଖୁଆଇଥିବା ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ମାର୍ଚ୍ଚ ମାସ ପରଠାରୁ ରାକେଶ ହଠାତ ଯୁବତୀଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେବାରୁ ଯୁବତୀଙ୍କର ସନ୍ଦେହ ହୋଇଥିଲା। ଫଳରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ।