ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମରେ ବାଡ଼ ଦେବାକୁ କେନ୍ଦ୍ର କରି ଜଣେ ପଡିଶାଙ୍କ ଟାଙ୍ଗିଆ ଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଜଣଙ୍କ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁରୁତର ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେଭେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଗୁରୁସଙ୍ଗ ଗ୍ରାମର ତୁଷାରକାନ୍ତ ବେହେରା (୨୫) ନିଜ ଘର ବାଡି ପଟେ ବାଡ ଘେରାଉ ଥିବା ବେଳେ ପଡୋଶୀ କ୍ଷମାନିଧି ସାହୁ (୪୫) ବାଡ ଦେବାକୁ କେନ୍ଦ୍ର କରି ତୁଷାର ସହ ଯୁକ୍ତି ତର୍କ ହେବା ସହ ମାଡପିଟ ହୋଇଥିଲା। ଏଥିରେ କ୍ଷମାନିଧି ନିଜ ଘରୁ ଏକ ଟାଙ୍ଗିଆ ଆଣି ତୁଷାରଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡରେ ଚୋଟ ମାରିବାରୁ ତୁଷାର ରକ୍ତାକ୍ତ ହୋଇ ସେଠାରେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଲଲହଡା ଏବଂ ଅନଗୁଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମଧ୍ୟ ତୁଷାରଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଅଭିଯୁକ୍ତ କ୍ଷମାନିଧି ଫେରାର ଥିବା ଜଣାପଡ଼ିଛି।