କରୋନା ପଛରେ ମାତିଥିବାବେଳେ ରାୟଗଡ଼ାରେ ଡ଼େଙ୍ଗୁ ଆତଙ୍କ ଜିଲ୍ଲାରାଜ୍ୟ By Nitidin On May 6, 2020 Share ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ପ୍ରତିହିତ କରିବା ପାଇଁ ସମସ୍ତେ ମାତିଥିବାବେଳେ ରାୟଗଡ଼ା ଜିଲ୍ଲାରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ମାସକ ଭିତରେ ଜିଲ୍ଲାରେ ୬୧ଟି ଡେଙ୍ଗୁ ପଜିଟିଭ ପ୍ରଶାସନର ପାରିଲା ପଣିଆକୁ ପଦାରେ ପକାଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଟିକରପଡ଼ା ବସ୍ତିରୁ କାୟା ମେଲିଥିବା ଡେଙ୍ଗୁ ଏବେ ଧୀରେ ଧୀରେ ରାୟଗଡ଼ା ସହର ଦେଇ ଗ୍ରାମାଞ୍ଚଳରେ ଛୁଇଁଲାଣି। ଗତ ୧୦ଦିନ ତଳେ ଟିକରପଡ଼ାରେ ୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ନୂଆ ଭାବେ ୯ ଜଣ ଚିହ୍ନଟ ହୋଇ ଏହି ସଂଖ୍ୟା ୫୧ରେ ପହଞ୍ଚିଛି। ସେହିପରିି ରାୟଗଡ଼ା ସହରରେ ଦୁଇଟି ପଜିଟିଭ ବୃଦ୍ଧି ପାଇ ଜିଲ୍ଲାର ବିଷମକଟକ ବ୍ଲକର ହାଜାରିଡାଙ୍କ ଓ ଟାଙ୍ଗଣାପଦର ଏବଂ ରାୟଗଡା ସହରତଳିରେ ଥିବା ମାଲିଗାଁକୁ ବ୍ୟାପି ମୋଟ ସଂଖ୍ୟା ୬୧ରେ ପହଁଚିଲାଣି। ଡେଙ୍ଗୁର ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଗୁଣୀଗାରେଡ଼ି ଉପରେ ଭରସା ଛାଡ଼ି ଡାକ୍ତରଖାନା ମୁହାଁ ହେଉଥିବା କହିଛନ୍ତି ଡ଼େଙ୍ଗୁ ଆକ୍ରାନ୍ତ ଗୌରଚନ୍ଦ୍ର କନ୍ଧପାଣି। କେବଳ ଗୌରପାଣି ନୁହଁନ୍ତି ସେ ଗାଁର ଅନ୍ୟ ଜଣେ ମନୋଜ କୁଶୁଲିଆଙ୍କ ସମ୍ପର୍କୀୟ ମଧ୍ୟ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଗାଁରେ ଡ଼େଙ୍ଗୁ ଆରମ୍ଭ ହେବା ସମୟରେ କେହି ଆସୁନଥିଲେ ୧୦ ଜଣ ମରିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରଠାରୁ ସରକାରୀ ବାବୁମାନେ ଗାଁକୁ ଆସି ଚିକିତ୍ସା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ତଥାପି ଡେଙ୍ଗୁ ଜ୍ୱର ଛାଡ଼ିବାର ନା ଧରୁ ନଥିବା ମନୋଜ କହିଛନ୍ତି। ଅନ୍ୟପଟେ ଜିଲ୍ଲାରେ ଦିନକୁଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ଆଉ ମାସକ ମଧ୍ୟରେ ୧୨୯ ଜଣଙ୍କ ରକ୍ତନମୁନା ପରୀକ୍ଷାରେ ୬୧ଟି ଡେଙ୍ଗୁ ପଜିଟିଭ ବାହାରିବାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ। ଆରଏମ୍ଆରସି ଏବଂ ଏସ୍ସିବି ମେଡିକାଲକୁ ୨୫ଟି ଡେଙ୍ଗୁ ପଜିଟିଭ ରକ୍ତ ନମୁନାକୁ ପୁନଃପରୀକ୍ଷଣ ପାଇଁ ପଠାଯାଇଥିବା ଜଣାପଡ଼ିଛି। ତେବେ ଜିଲ୍ଲାରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ସଚେତନତା ସାଙ୍ଗକୁ ଗାଁ ଗୁଡ଼ିକରେ ପରିମଳ ପରିଚ୍ଛନରେ ସୁଧାର ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଏଡିଏମ୍ଓ ଡା. ବି. ଲକ୍ଷ୍ମୀ ନାରାୟଣ ପୃଷ୍ଟି। ତେବେ ଜିଲ୍ଲାରେ ଡେଙ୍ଗୁକୁ ନେଇ ଯଦି ସ୍ୱତନ୍ତ୍ର ଯୋଜନା କରାନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହେବ ଏଥିରେ ସନ୍ଦେହ ନାହିଁ । Share