ବଡସାହି,ଏନ୍ଏନ୍ଏସ୍ : ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଣତ୍ରୀ ଗ୍ରାମରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପା-ପୁଅଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଛି। ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟରୁ ଉଭୟଙ୍କ ମୃତଦେହ ମିଳିଛି। ମୃତକ ଦ୍ୱୟ ଗଣେଶ୍ୱର ଦେହୁରୀ(୩୪) ଓରଫ ଗଣି ଏବଂ ତାଙ୍କ ୮ ବର୍ଷର ପୁଅ।
ସୂଚନା ଅନୁଯାୟୀ, ଗଣେଶ୍ୱର ଜଣେ ବସ ଚାଳକ। ତାଲାବନ୍ଦ ଯୋଗୁଁ ରୋଜଗାର ବନ୍ଦ ପଡିଥିବାବେଳେ ରବିବାର ମାଛ ଧରିବା ପାଇଁ ସେ ଜାଲ ନେଇ ସାନପୁଅ ସହ ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟ କୁଣ୍ଡିକୁ ଯାଇଥିଲେ। ମାତ୍ର ଘରକୁ ନ ଫେରିବାରୁ ସମସ୍ତେ ଖୋଜାଖୋଜି କରିଥିଲେ। ମନ୍ଦିର ପାଖରେ ବାଇକ ମିଳିଥିବା ବେଳେ ଡିକିରେ ମୋବାଇଲ ଫୋନ ଥିଲା। ହେଲେ ବାପା-ପୁଅଙ୍କ ପତା ମିଳି ନ ଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଁଚି ଗ୍ରାମବାସୀଙ୍କ ସହ ରାତି ସାରା ପାଣିରେ ଖୋଜାଖୋଜି କରିଥିଲେ।
ହେଲେ ସେମାନଙ୍କ ସନ୍ଧାନ ମିଳି ନ ଥିଲା। କିନ୍ତୁ ସକାଳେ ତାଙ୍କ ଆତ୍ମୀୟମାନେ ପାଣିରେ ବାପ-ପୁଅଙ୍କ ଚପଲ ଭାସୁଥିବା ଦେଖି ଉଭୟଙ୍କୁ ଉଦ୍ଧାର କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରିବା ଅବସ୍ଥାରେ ଉଭୟ ବାପ-ପୁଅଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ବୈଶିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।