ଜଗତସିଂହପୁର,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ·ଲିଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜନଗହଳିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଗ୍ରୀନ୍ ଜୋନରେ ଥିଲେ ମଧ୍ୟ ବିଶେଷ ଜନଗହଳି ହେଉଛି। ତେଣୁ ଜଗତସିଂହପୁର ଜିଲ୍ଲାର ସମଗ୍ର ଅଞ୍ଚଳରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ, ଜଗତସିଂହପୁର ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି । ମାତ୍ର ଏହା ସତ୍ତେ୍ୱ ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ଜିଲ୍ଲା ପ୍ରଶାସନ ଲକଡାଉନ କୋହଳ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିନେଇ ଜିଲ୍ଲାପାଳ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାହାର ରାଜ୍ୟରୁ ଜିଲ୍ଲାକୁ ଅଧିକାଂଶ ଲୋକ ଫେରୁଛନ୍ତି । ବର୍ତ୍ତମାନ ଅଧିକ ସଚେତନ ହେବା ସହ କଡା ପଦକ୍ଷେପ ନେବାର ସମୟ ଆସିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଲକ୍ ଡାଉନ୍ ୨.୦ର ଯାହା ଗାଇଡ୍ ଲାଇନ୍ ରଖାଯାଇଥିଲା ତାହା ମଧ୍ୟ ଲକ୍ ଡାଉନ୍ ୩.୦ରେ ପାଳନ କରାଯିବ ।
ତେବେ ଏହି କର୍ଫ୍ୟୁ ଲକଡାଉନ୍ ୩.୦ ବଳବତ୍ତର ରହିବା ପର୍ଯ୍ୟନ୍ତ ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତୃତୀୟ ପର୍ଯ୍ୟାୟ ଲକଡାଉନର ଶେଷ ଦିନ ତଥା ଆସନ୍ତା ମେ’ ୧୭ ଯାଏଁ ଏହି କଟକଣା ଲାଗୁ ରହିବ । ଏହି ସମୟରେ ଲକଡାଉନର ସମସ୍ତ କଟକଣା ଜିଲ୍ଲାରେ ଲାଗୁ ହେବ । ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ, ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେହିପରି ଜିଲ୍ଲାରେ କୌଣସି ମଦ ଦୋକାନ ଖୋଲିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।