ଦେବଗଡ଼,ଏନ୍ଏନ୍ଏସ୍ : ସଂପ୍ରତି ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଆତଙ୍କିତ ଥିବାବେଳେ ଦେବଗଡ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ଦେବଗଡ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର ସୁଯୋଗରେ ପଡ଼ୋଶୀ ଅନଗୁଳ ଜିଲ୍ଲାର କେତେକ ଅସାଧୁ ବ୍ୟବସାୟୀ ଦେବଗଡ ଜିଲ୍ଲାର ସୀମାକୁ ପଶି ଜଙ୍ଗଲରୁ କାଠ ଚୋରୀ କରି ନେଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ହାତରେ ଧରା ପଡି ଗିରଫ ହୋଇଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଛଲକ ଗ୍ରାମ ନିକଟସ୍ଥ ଲକ୍ଷ୍ମୀପୁର ଜଙ୍ଗଲରୁ କେତେକ ଦୁର୍ବୃତତ୍ତ ଗଛକାଟି ଚାଳାଣ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ପାଇ ରିଆମାଳ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ ,କୁଣ୍ଡେଇଗୋଳା ଫରେଷ୍ଟର ପ୍ରୀତମ କୁମାର ସାହୁ ପଳସମା ଫରେଷ୍ଟର ପ୍ରଶାନ୍ତ କୁମାର ଶତପଥି,ନୂଆଁଡିହି ଫରେଷ୍ଟର ଗିରିଧାରୀ ପ୍ରଧାନ,ବୁଢାପାଳ ବନରକ୍ଷୀ ଗୋପାଳ କୃଷ୍ଣ ମହାକୁଳ ପ୍ରମୁଖ ଉକ୍ତ ଜଙ୍ଗଲରେ ପହଂଚି ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅନଗୁଳ ଜିଲ୍ଲା କଣିହା ଥାନା ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ଟଙ୍କଧର ସାହୁର ପୁଅ ବିଭୁତି ଭୂଷଣ ସାହୁ(୪୦),ଲୋଧାଝରି ଗ୍ରାମର ବସନ୍ତ ନାଏକ (୩୮)ଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଇଲେକ୍ଟ୍ରି କଟର ମେସିନ, ଗୋଟିଏ ବାଇକ ଓ ଏକ ପିକଅପ ଭ୍ୟାନ ଓ ୪ ଗୋଟି ଶାଳ ଗଣ୍ଡି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।