ଭୁବନେଶ୍ୱର: ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ସବୁଜ ସଙ୍କେତ ଦେଖାଇଲେ ଗଜପତି ମହାରାଜ ଦିବ୍ୟସିଂ ଦେବ। ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରଥ ନିର୍ମାଣକୁ ନେଇ ସୁପାରିଶ କରାଯାଇଥିଲା। କିନ୍ତୁ ସରକାରଙ୍କ ନୂଆ ଗାଇଡଲାଇନକୁ ଅପେକ୍ଷା କରାଯାଇଥିଲା । ପୁରୀ ଗ୍ରୀନ୍ ଜୋନରେ ସାମିଲ ହୋଇଥିବା ଯୋଗୁଁ ରଥ ନିର୍ମାଣକୁ ସମ୍ମତି ମିଳିଛି। ରଥ ନିର୍ମାଣ କୌଣସି ଧର୍ମୀୟ କାର୍ଯ୍ୟ ନୁହେଁ ବରଂ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ମୁତାବକ ପାଳନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖଳାରେ ତିଆରି କାମ ଆରମ୍ଭ ହୋଇନାହିଁ। ଏଥି ସହିତ ରଥଯାତ୍ରା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଗଜପତି ମହାରାଜା ସୂଚନା ଦେଇଛନ୍ତି।