ପୁରୀରେ ପରିଚାଳନା କମିଟିର ଜରୁରୀ ବୈଠକ, ଗଜପତିଙ୍କ ଅଧ୍ୟକ୍ଷତାରେ ବସିବ ମିଟିଂ

ପୁରୀ,ଏନ୍ଏନ୍ଏସ୍: ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ରଥଯାତ୍ରା ହେବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆଜି ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ହଲରେ ଅପରାହ୍ନ ୪.୩୦ରେ ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଛି।

ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଭୁବନେଶ୍ୱର ଓକାକରେ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବେ । ଅନ୍ୟପଟେ ଆସନ୍ତା ବୁଧବାର ଦିନ ନୃସିଂହ ଚତୁର୍ଦ୍ଦଶୀ ପଡୁଥିବାରୁ ସେହିଦିନ କୋଣଗୁଜ ଅନୁକୂଳ ଓ ଆସନ୍ତା ୧୫ ତାରିଖ ପବିତ୍ର ଭଉଁରୀ ଯାତ୍ରାରେ ତିନି ରଥର ଚକ ଅଖ ଡେରାଯିବାର ବିଧିବିଧାନ ରହିଛି । ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ତିନି ରଥର ୬ଟି ଚକ ନିର୍ମାଣ କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ଆଶାଆଶଙ୍କା ଦେଖାଦେଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଗଜପତି ମହାରାଜା ଗୋବର୍ଧନ ପୀଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ପରେ ୩ ତାରିଖ ପରେ ରଥନିର୍ମାଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ରଥଯାତ୍ରାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବା ଲାଗି ନିବେଦନ କରିଥିଲେ। ବର୍ତ୍ତମାନର ବାସ୍ତବତା ହେଉଛି, ଅକ୍ଷୟ ତୃତୀୟା ଦିନ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ, ଶ୍ରୀମନ୍ଦିର ପରିସରରେ ରଥ ଅନୁକୂଳ ହୋଇଛି। ହେଲେ ଏଯାଏ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ ।