ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଞ୍ଜାମରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ଗୁଜରାଟର ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ। ଦୁଇ ଜଣଙ୍କ ବୟସ ଯଥାକ୍ରମେ ୧୭ ଓ ୨୨ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖା ଦେଇନଥିଲେ ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏଥି ସହିତ କରୋନା ରାଜ୍ୟର ଆଉ ଏକ ଜିଲ୍ଲାକୁ ମଧ୍ୟ ଛୁଇଁଛି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ ହୋଇଥିବାବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି। ଆଉ ୧୦୨ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।