ଅଲବିଦା ରିଷି କପୁର ମନୋରଞ୍ଜନ By Nitidin On Apr 30, 2020 Share ଚିରସବୁଜ ଅଭିନେତା ରିଷି କପୁରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ୨୦୧୮ରୁ କ୍ୟାନସର ସହ ଲଢ଼ୁଥିବା ରିଷି ବୁଧବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ମୁମ୍ବାଇର ରିଲାଏନ୍ସ ଏଚ୍ ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳ ୮.୪୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ରିଷିଙ୍କ ନିକଟରେ ପତ୍ନୀ ନୀତୁ କପୁର ଉପସ୍ଥିତ ଥିଲେ। ଅପରାହ୍ନ ୪.୧୫ରେ ଚନ୍ଦନବାଡ଼ିସ୍ଥିତ ଶ୍ମଶାନରେ ରିଷିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଲକଡାଉନ୍ ଯୋଗୁଁ କେବଳ ୨୫ ଜଣ ରିଷିଙ୍କ ଅନ୍ତିମ ସଂସ୍କାରବେଳେ ଉପସ୍ଥିତ ରହିବା ଲାଗି ପୁଲିସ ଅନୁମତି ଦେଇଥିଲା। ଏମାନଙ୍କ ମଧ୍ୟରେ ରିଷିଙ୍କ ଭଉଣୀ ଭଉଣୀ, ଭିଣୋଇ, ପତ୍ନୀ, ଦୁଇ ଭାଇ, ଝିଆରୀ, ପୁତ୍ର ଆଦି ପରିବାର ସଦସ୍ୟଙ୍କ ସମେତ ଅଭିଷେକ ବଚ୍ଚନ, ଆଲିଆ ଭଟ୍ଟ, ସୈଫ୍ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଲକଡାଉନ୍ ଯୋଗୁଁ ଦିଲ୍ଲୀରେ ରହୁଥିବା ତାଙ୍କ ଝିଅ ରିଦ୍ଧିମା ପିତାଙ୍କ ଶେଷ ଦର୍ଶନ କରିବା ପାଇଁ ମୁମ୍ବାଇ ପହଞ୍ôଚ ପାରିନାହାନ୍ତି। ମାତ୍ର ଦଶ ମିନିଟ ମଧ୍ୟରେ ରିଷିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେପ୍ଟେମ୍ବର ୪, ୧୯୫୨ରେ ମୁମ୍ବାଇ (ତତ୍କାଳୀନ ବମ୍ବେ)ରେ ଜନ୍ମଗ୍ରହଣ କରିଥିଲେ ରିଷି। ହିନ୍ଦୀ ସିନେଶିଳ୍ପର ପ୍ରସିଦ୍ଧ ସିନେବ୍ୟକ୍ତିତ୍ୱ ରାଜ କପୁର ଓ କ୍ରିଷ୍ଣା ରାଜ କପୁରଙ୍କ ଦ୍ୱିତୀୟ ପୁତ୍ର ରିଷିଙ୍କ ବାଲ୍ୟନାମ ଥିଲା ଚିଣ୍ଟୁ। ଏହି ନାଁରେ ତାଙ୍କୁ ଅନେକେ ସମ୍ବୋଧନ କରୁଥିଲେ। ବଲିଉଡର ପ୍ରଥମ ଫିଲ୍ମ ପରିବାର ନାଁରେ ଖ୍ୟାତ କପୁର ଖାନ୍ଦାନର ପୁତ୍ର ହିସାବରେ ଅଭିନୟ କଳା ସାଥିରେ ନେଇ ଜନ୍ମିଥିଲେ ରିଷି। ତାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ, ସେ ରାଜ କପୁର, ନର୍ଗିସ ଅଭିନୀତ ‘ଶ୍ରୀ ୪୨୦’ର କାଳଜୟୀ ଗୀତ ‘ପ୍ୟାର୍ ହୁଆ ଏକରାର୍ ହୁଆ…’ରେ ଅଭିନୟ କରିଥିଲେ। ଏହାପରେ ୧୯୭୦ରେ ମୁକ୍ତିପ୍ରାପ୍ତ ରାଜ କପୁରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଜୋକର’ରେ ସେ ରାଜଙ୍କ ପିଲାଦିନ ଚରିତ୍ର ନିର୍ବାହ କରି ବେଶ୍ ଲୋକପ୍ରିୟ ହୋଇଥିଲେ। ୧୯୭୩ରେ ମୁକ୍ତିପ୍ରାପ୍ତ ‘ବବି’ ଥିଲା ମୁଖ୍ୟ ନାୟକ ଭାବେ ରିଷିଙ୍କ ପ୍ରଥମ ଚଳଚ୍ଚିତ୍ର। ଟିନଏଜ୍ ଲଭଷ୍ଟୋରୀ ଆଧାରିତ ଏ ଫିଲ୍ମରେ ରିଷିଙ୍କ ନାୟିକା ଥିଲେ ଡିମ୍ପଲ୍ କପାଡ଼ିଆ। ‘ବବି’ ଥିଲା ସେହି ଦଶନ୍ଧିର ସବୁଠୁ ବଡ଼ ହିଟ୍ ଚଳଚ୍ଚିତ୍ର। ଏଥିପାଇଁ ରିଷିଙ୍କୁ ମିଳିଥିଲା ଫିଲ୍ମଫେୟାର୍ ବେଷ୍ଟ ଆକ୍ଟର ପୁରସ୍କାର। ଏହା ପରେ ରିଷି ହଲକା ଫୁଲକା କମେଡି ଆଧାରିତ ଫିଲ୍ମରେ ଅଭିନୟ କରି ଦର୍ଶକୀୟ ପ୍ରଶଂସା ସାଉଁଟିଲେ। ରିଷିଙ୍କ ଅଭିନୀତ ଏଭଳି ଫିଲ୍ମ ତାଲିକାରେ ରହିଛି ‘ରଫୁ ଚକ୍କର’ (୧୯୭୫), ‘ଖେଲ୍ ଖେଲ୍ ମେ’ (୧୯୭୫), ‘ହମ୍ କିସିସେ କମ୍ ନହିଁ’ (୧୯୭୭), ‘ଅମର ଆକବର ଆନ୍ଥୋନୀ’ (୧୯୭୭) ଓ ଆହୁରି ଅନେକ। ନିତୁଙ୍କ ସହ ୧୨ ଫିଲ୍ମ ଫିଲ୍ମ ‘ଜହରିଲା ଇନସାନ’ରେ ପ୍ରଥମ ଥର ପାଇଁ ରିଷି ନୀତୁ କପୁରଙ୍କ ସହ ଅଭିନୟ କରିଥିଲେ। ୧୯୭୪ରେ ଏ ଫିଲ୍ମଟି ସିନେମାଘରକୁ ଆସିଥିଲା। ଏହା ପରେ ରିଷି ଓ ନୀତୁ ୧୨ଟି ଫିଲ୍ମରେ ନାୟକ-ନାୟିକା ଭାବେ ଅଭିନୟ କରିଥିଲେ। ଦର୍ଶକ ମଧ୍ୟ ଏ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ। ରିଷି ଓ ନୀତୁ ଏକାଠି ଅଭିନୟ କରିଥିବା ତାଲିକାରେ ରହିଛି – ‘ଖେଲ୍ ଖେଲ୍ ମେ’, ‘କଭି କଭି’, ‘ଅମର ଆକବର ଆନ୍ଥୋନୀ’, ‘ଦୁନିଆ ମେରି ଜେବ୍ ମେ’, ‘ପତି ପତ୍ନୀ ଔର୍ ୱୋ’ ‘ଜହରିଲା ଇନ୍ସାନ’, ‘ଜିନ୍ଦା ଦିଲ୍’, ‘ଦୁସ୍ରା ଆଦମୀ’, ‘ଅନଜାନେ ମେ’, ‘ଝୁଠା କହିଁ କା’, ‘ଧନ ଦୌଲତ୍’, ‘ଦୋ ଦୁନି ଚାର୍ ଓ ‘ବେଶରମ୍’। ୯୨ ଫିଲ୍ମରେ ରୋମାଣ୍ଟିକ୍ ହିରୋ ୧୯୭୦ରୁ ୨୦୦୦ ପର୍ଯ୍ୟନ୍ତ ରିଷି କପୁର ପ୍ରାୟ ୯୨ଟି ଫିଲ୍ମରେ ରୋମାଣ୍ଟିକ୍ ଆକ୍ଟର ଭାବେ ପର୍ଦ୍ଦାକୁ ଆସିଛନ୍ତି। ଏଥିମଧ୍ୟରୁ ୫୧ଟିରେ ସୋଲୋହିରୋ ଭାବେ ଚରିତ୍ର ନିର୍ବାହ କରିଥିବାବେଳେ ୪୧ଟି ମଲ୍ଟି ଷ୍ଟାରର୍ ଫିଲ୍ମ ରହିଛି। ରୋମାଣ୍ଟିକ୍ ଫିଲ୍ମ ବାବଦରେ ଆଲୋଚନା କରିବା ମାତ୍ରେ ସ୍ୱତଃ ସାମ୍ନାକୁ ଆସିଯାଆନ୍ତି ରିଷି କପୁର। ଏଭଳି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ବବି’, ‘ଲୈଲା ମଜନୁ’, ‘ରଫୁ ଚକ୍କର’, ‘ସର୍ଗମ’, ‘କର୍ଜ’, ‘ପ୍ରେମ ରୋଗ’, ‘ନଗିନା’, ‘ହନିମୁନ୍’, ଚାନ୍ଦନୀ’, ‘ବୋଲ ରାଧା ବୋଲ୍’, ‘ୟେ ୱାଦା ରହା’, ‘ଖେଲ୍ ଖେଲ୍ ମେ’, ‘କଭି କଭି’, ହମ୍ କିସିସେ କମ୍ ନହିଁ’, ‘ବଦଲତେ ରିସ୍ତେ’, ‘ଆପ୍ କେ ଦିୱାନେ’, ‘ସାଗର’, ‘ଅଜୁବା’, ‘ଚାନ୍ଦନୀ’, ‘ଦିୱାନା’, ‘ଦାମିନୀ’, ‘ଗୁରୁଦେବ’, ‘ଦରାର୍’, ‘କାରୋବାର’ ଇତ୍ୟାଦି। ଖଳ ଚରିତ୍ରରେ ବି ହିଟ୍ ୨୦୦୦ରୁ ୨୦୨୦ – ଏହି ସମୟ ଅବଧି ମଧ୍ୟରେ ରିଷି ପ୍ରାୟ ୪୦ରୁ ଅଧିକ ଫିଲ୍ମ କରିଛନ୍ତି। କ୍ୟାରିୟର ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରୋମାଣ୍ଟିକ୍ ହିରୋର ଛାପ ଛାଡ଼ିଥିଲେ ରିଷି। ମାତ୍ର “ଅଗ୍ନିପଥ’ରେ ତାଙ୍କର ନେଗେଟିଭ୍ ବା ଖଳ ଚରିତ୍ରରେ ଚମତ୍କାର ଅଭିନୟ ଅନେକଙ୍କୁ ବିସ୍ମିତ କରିଦେଇଥିଲା। ଏହି ଫିଲ୍ମ ପାଇଁ ରିଷିଙ୍କୁ ବେଷ୍ଟ ନେଗେଟିଭ୍ ରୋଲ୍ ଆଇଫା ଆୱାର୍ଡ ମିଳିଥିଲା। ଏହା ପରେ ରିଷି ପାଶ୍ୱର୍ ଚରିତ୍ରରେ ଦେଖିବାକୁ ମିଳିଲେ। “ଜଲୱା’, “ହମ୍ ତୁମ୍’, “ଫନା’, “ନମସ୍ତେ ଲଣ୍ଡନ’, “ଲଭ୍ ଆଜ କଲ୍’ ଓ “ପଟିଆଲା ହାଉସ୍’ ଆଦିରେ ପାର୍ଶ୍ଚ ଚରିତ୍ରରେ ରିଷିଙ୍କ ଅଭିନୟ ଯିଏ ଦେଖିଛି, ପ୍ରଶଂସା ନ କରି ରହିପାରି ନାହିଁ। ୨୦୧୮ରେ ସେ ଅମିତାଭ ବଚ୍ଚନଙ୍କ ସହିତ “୧୦୨ ନଟ୍ ଆଉଟ୍’ରେ ଅଭିନୟ କରିଥିଲେ। ଦୀର୍ଘ ୨୭ ବର୍ଷ ପରେ ଏହା ଥିଲା ଅମିତାଭଙ୍କ ସହିତ ରିଷିଙ୍କ ଅଭିନୟ। ଏହା ପୂର୍ବରୁ “ଅଜୁବା’, “ଅମର ଆକବର ଆନ୍ଥୋନୀ’ ଆଦିରେ ଅମିତାଭଙ୍କ ସହ ଅଭିନୟ କରି ଦର୍ଶକୀୟ ଆଦୃତି ସାଉଁଟିଥିଲେ। ରିଷିଙ୍କ ଶେଷ ଚଳଚ୍ଚିତ୍ର ଥିଲା “ଦ ବଡ଼ି’। ଏଥିରେ ରିଷିଙ୍କ ସହିତ ଶୋଭିତା ଧୁଲିପାଲା ଓ ଇମ୍ରାନ ହାସ୍ମୀ ଅଭିନୟ କରିଥିଲେ। ଗତ ବର୍ଷ ଡିସେମ୍ବରରେ ଏ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏଥିରେ ରିଷି ଏସ୍ପି ଜୟରାଜ ରାୱଲ ଚରିତ୍ର ନିର୍ବାହ କରିଥିଲେ। ୨୦୧୯ରେ ସେ “ଝୁଠା କହିଁକା’ ନାମରେ ଏକ ଫିଲ୍ମରେ ଦେଖିବାକୁ ମିଳିଥିଲେ। ଏଥିରେ ରିଷି ଅଭିନୟ କରିଥିବା ଚରିତ୍ରର ନାଁ ଥିଲା ‘କୁମାର ପାଣ୍ଡେ’ ପୁରସ୍କାର, ସମ୍ମାନ ୧୯୭୦ – ନ୍ୟାସନାଲ୍ ଫିଲ୍ମ ଆୱାର୍ଡ (ଶିଶୁ କଳାକାର) ୧୯୭୪ – ଫିଲ୍ମଫେୟାର ବେଷ୍ଟ ଆକ୍ଟର ୨୦୦୮ – ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ୨୦୦୯ – ରୁଷ ସରକାରଙ୍କ ବିଶେଷ ସମ୍ମାନ ୨୦୧୧ – ଫିଲ୍ମଫେୟାର ବେଷ୍ଟ ଆକ୍ଟର କ୍ରିଟିକ୍ ଆୱାର୍ଡ ୨୦୧୬ – ସ୍କ୍ରିନ୍ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ୨୦୧୭ – ଫିଲ୍ମଫେୟାର ବେଷ୍ଟ ସପୋର୍ଟିଂ ଆକ୍ଟର ଆୱାର୍ଡ ନିର୍ଦ୍ଦେଶକ ରିଷି ୧୯୯୮ରେ ରିଷି କପୁର ଅକ୍ଷୟ ଖାନ୍ନା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ମୁଖ୍ୟ ନାୟକ, ନାୟିକା ଭାବେ ନେଇ ନିର୍ମାଣ କରିଥିଲେ – “ଆ ଅବ ଲୌଟ ଚଲେଁ’। ଫିଲ୍ମର କଥାବସ୍ତୁ, କଳାକାରଙ୍କ ଅଭିନୟ ଶ୍ରୋତା, ଦର୍ଶକଙ୍କ ମନକୁ ଛୁଇଁଥିଲେ ହେଁ ଫିଲ୍ମକୁ ବ୍ୟାବସାୟିକ ସଫଳତା ମିଳିନଥିଲା। ଚର୍ଚ୍ଚିତ ସଂଳାପ ଅଗର୍ ଆପ୍ ମେରି ଦାଢ଼ି ଔର୍ ଓସାମା ବିନ୍ ଲାଦେନ୍ କି ଦାଢ଼ି ମେ ଫର୍କ ନହିଁ କର୍ ପା ରହେ ହେଁ ତୋ ଭି ମୁଝେ ହକ୍ ହେ ମେରି ସୁନ୍ନତ ନିଭାନେ କା – ଡି ଡେ ହମ୍ ଆଜ୍ ଯୋ ଫୈସଲା କରତେ ହେଁ, ୱହି ହମାରେ କଲ୍ କା ଫୈସଲା କରେଗା – ଫନା ଖାଲି ଫିସ୍ ଭରନେ ସେ ପାପା ହୋନେ କି ଡ୍ୟୁଟି ପୁରି ନହିଁ ହୋତି, ପାପା କି ଡ୍ୟୁଟି ହୋତି ହେ ବଚ୍ଚୋଁ କି ଖୁସିୟାଁ – ଦୋ ଦୁନି ଚାର୍ ରୀତ୍ ରିୱାଜ୍ ଇନ୍ସାନ କି ସହୁଲିୟତ କେଲିଏ ବନାଏ ଯାତେ ହେଁ, ଇନସାନ ରୀତ ରିୱାଜୋଁ କେଲିଏ ନହିଁ – ପ୍ରେମ ରୋଗ ପ୍ରେମ୍ ତ ୱୋ ରୋଗ୍ ହେ ଯୋ ଆସାନୀ ସେ ଲଗତା ନହିଁ, ଔର୍ ଜବ୍ ଲଗଯାତା ହୈ ନା, ଫିର୍ କଭି ମିଟତା ନହିଁ – ପ୍ରେମ ରୋଗ ଯାନେ ସେ ପେହେଲେ ଏକ ଆଖିରି ବାର୍ ମିଲନା କେଁ୍ୟା ଜରୁରୀ ହୋତା ହୈ – ଲଭ୍ ଆଜ୍ କଲ୍ ପ୍ୟାର୍ କର୍ନେୱାଲେ ଏତୱାର୍ କା ସାର୍ଟିଫିକେଟ୍ ନହିଁ ମାଁଗତେ – କର୍ଜ ହର୍ ଇସ୍କ କା ଏକ ୱକ୍ତ ହୋତା ହୈ, ୱୋ ହମାରା ୱକ୍ତ ନହିଁ ଥା, ପର୍ ଇସ୍କା ୟହ ମତଲବ ନହିଁ କି ୱୋ ଇସ୍କ ନହିଁ ଥା – ଜବତକ୍ ହେ ଜାନ୍ ହମ୍ ଦିଲ୍ଲୀୱାଲେ ମୁଲକ କେ ସାଥ୍ ସାଥ୍ ଦିଲ୍ ପର୍ ଭି ହୁକୁମତ୍ କରନା ଜାନତେ ହେଁ – ଚାନ୍ଦନୀ ଝିଅ କଥାରେ ଛାଡ଼ିଥିଲେ ସିଗାରେଟ୍ ଜୀବନ କାହାଣୀ “ଖୁଲମ୍ ଖୁଲ୍ଲା’ରେ ଚଳଚ୍ଚିତ୍ର ଜୀବନ ସହିତ ବ୍ୟକ୍ତିଗତ ଜୀବନର ଅନେକ କାହାଣୀ ଖୁବ୍ ସୁନ୍ଦର ଭାବେ ଲିପିବଦ୍ଧ କରିଛନ୍ତି ରିଷି କପୁର। ଧୂମପାନ ବାବଦରେ ଏ ବହିରେ ଏକ ରୋଚକ ପ୍ରସଙ୍ଗ ଲେଖିଛନ୍ତି ସେ। ରିଷିଙ୍କ କହିବାନୁସାରେ, ପ୍ରଥମେ ପ୍ରଥମେ ସେ ଖୁବ୍ ସିଗାରେଟ୍ ଟାଣୁଥିଲେ। ଝିଅ ରିଦ୍ଧିମା ଛୋଟ ଥିବାବେଳେ ଥରେ ତାଙ୍କୁ କହିଥିଲା – ଡାଡି ମୁଁ ତୁମକୁ ସକାଳୁ ସକାଳୁ କିସ୍ ଦେଇପାରିବିନି। ତୁମ ମୁହଁ ଖୁବ୍ ଜୋରରେ ଗନ୍ଧାଉଛି। ଏହା ପରଠୁ ରିଷି ସିଗାରେଟ୍ ପିଇବା ଛାଡ଼ି ଦେଇଥିଲେ। ୧୯୮୮ରେ ଦାଉଦ୍ ଇବ୍ରାହିମଙ୍କୁ ଭେଟିଥିଲେ “ଖୁଲମ୍ ଖୁଲ୍ଲା’ରେ ରିଷି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସହ ତାଙ୍କର ସାକ୍ଷାତକୁ ନେଇ ଅନେକ ରୋଚକ ତଥ୍ୟ ରଖିଛନ୍ତି। ସେ ଲେଖିଛନ୍ତି – ଫିଲ୍ମ ଅଭିନୟରୁ ମିଳିଥିବା ପ୍ରସିଦ୍ଧି, ଲୋକପ୍ରିୟତା ମତେ ଅନେକ ଭଲ ଲୋକଙ୍କ ସହ ପରିଚିତ କରାଇଛି, ଅନ୍ୟପକ୍ଷରେ ବେଶ୍ କେତେଜଣ ନିନ୍ଦିତ ବ୍ୟକ୍ତିଙ୍କ ସହ ସାକ୍ଷାତ ମଧ୍ୟ କରାଇଛି। ଏଭଳି ନିନ୍ଦିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ଦାଉଦ୍ ଇବ୍ରାହିମ୍। ୧୯୮୮ ମସିହାର କଥା। ଆଶା ଭୋଁସଲେ ଓ ଆରଡି ବର୍ମନଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ହେବା ପାଇଁ ଅନ୍ତରଙ୍ଗ ବନ୍ଧୁ ବିଟ୍ଟୁ ଆନନ୍ଦ ସହ ମୁଁ ଦୁବାଇ ଯାଇଥାଏ। ସେଠାରେ ଦାଉଦର ଜଣେ ଏୟାରପୋର୍ଟରେ ଥାଏ, ଯିଏକି ଭିଆଇପି ଲୋକଙ୍କ ଖବର ଦାଉଦକୁ ଦେଇଥାଏ। ସେତେବେଳେ ହଠାତ୍ ଜଣେ ଅଚିହ୍ନା ଲୋକ ମୋ ପାଖକୁ ଆସି ମୋତେ ଫୋନ୍ ଦେଲା ଏବଂ କହିଲା – ଦାଉଦ ସାହେବ କଥା ହେବେ। ଏ ଘଟଣା ୧୯୯୩ ମୁମ୍ବାଇ ବିସ୍ଫୋରଣ ପୂର୍ବର। ଦାଉଦଙ୍କ ସହିତ କଥା ହେଲି। ସେ କହିଲେ, କିଛି ବି ଦରକାର ହେଲେ ମୋତେ କହିବ। ଏହାପରେ ସେ ମୋତେ ତାଙ୍କ ଘରକୁ ନିମନ୍ତ୍ରଣ କଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କିଛି ସମୟ ପରେ ଜଣେ ଯୁବକ ଆସି ମୋତେ କହିଲେ – ଦାଉଦ ସାହେବ ଆପଣଙ୍କୁ ଚା’ ପିଇବାକୁ ଡାକିଛନ୍ତି। ମୁଁ ନିମନ୍ତ୍ରଣ ରକ୍ଷା କରି ଗୋଟିଏ ରୋଲ୍ସ ରଏସ୍ ଗାଡ଼ିରେ ବସି ଏକ ହୋଟେଲରେ ପହଞ୍ôଚଲି। ଦାଉଦଙ୍କୁ ଭେଟିଲି। ସେ ସୁଟ୍ ପିନ୍ଧିଥିଲେ। ଦେଖୁ ଦେଖୁ ମୋତେ କହିଲେ – ମୁଁ ଡ୍ରିଙ୍କସ କରେନାହିଁ। ତେଣୁ ଆପଣଙ୍କୁ ଚା’ ପିଇବାକୁ ଡାକିଲି। ଆମର ଚା’ ବିସ୍କୁଟ ଖିଆ ପ୍ରାୟ ଚାରି ଘଣ୍ଟା ଚାଲିଲା। Share