ଭୁବନେଶ୍ୱର,ଏନ୍ଏନ୍ଏସ୍ : ଯାଜପୁର ଜିଲ୍ଲା ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି । ଆଜି ଗୋଟିଏ ଦିନରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଏବେ ଆତଙ୍କ ସୃଷ୍ଟି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚିହ୍ନଟ ୧୭ ଜଣଙ୍କ ମଧ୍ୟରେ ଛୋଟ ଶିଶୁ ମଧ୍ୟ ଅଛନ୍ତି । ୨ ଜଣ ଶିଶୁ ଓ ଜଣେ ନାବାଳକ ଏବଂ ବୃଦ୍ଧ ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ । ୩ ବର୍ଷର ଶିଶୁ ଠାରୁ ଆରମ୍ଭ କରି ୮୫ ବର୍ଷ ବୃଦ୍ଧ ପର୍ଯ୍ୟନ୍ତ ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି । ଆକ୍ରାନ୍ତଙ୍କ ସମ୍ପର୍କରେ ଯେଉଁ ତଥ୍ୟ ସରକାରୀ ଭାବେ ଦର୍ଶାଯାଇଛି । ସେଥିରେ ସବୁଠାରୁ ଉଦବେଗର ବିଷୟ ହେଉଛି, ଜଣେ ୩ ବର୍ଷ ଶିଶୁ କନ୍ୟା ଓ ୩ ବର୍ଷର ଶିଶୁପୁତ୍ର ସହ ୧୨ ବର୍ଷର ନାବାଳକ ଏବଂ ୮୫ ବର୍ଷର ଜଣେ ବୃଦ୍ଧା ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ୯ ଜଣ ହେଉଛନ୍ତି ମହିଳା ।
ସକାଳେ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୧୮ ବର୍ଷର ଯୁବତୀ ଥିବା ବେଳେ ଜଣେ ୬୫ ବର୍ଷର ବୃଦ୍ଧ ଓ ୫୭ ବର୍ଷର ବ୍ୟକ୍ତି ଥିଲେ । ଅପରାହ୍ଣରେ ଯେଉଁ ୧୪ ଜଣ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରେ ଜଣେ ୩ ବର୍ଷର ବର୍ଷ ଶିଶୁ କନ୍ୟା ଓ ୩ ବର୍ଷର ଶିଶୁପୁତ୍ର ସହ ୧୨ ବର୍ଷର ନାବାଳକ ସହ ୮୫ ବର୍ଷର ବୃଦ୍ଧା , ୨୯ ବର୍ଷର ପୁରୁଷ, ୩୮ ବର୍ଷର ମହିଳା, ୩୫ ବର୍ଷ ମହିଳା, ୪୦ ବର୍ଷର ମହିଳା, ୨୯ ବର୍ଷର ପୁରୁଷ, ୨୦ ବର୍ଷର ଯୁବତୀ, ୩୪ ବର୍ଷର ପୁରୁଷ, ୩୬ ବର୍ଷର ମହିଳା, ୫୨ ବର୍ଷର ମହିଳା ଓ ୬୨ ବର୍ଷର ବ୍ୟକ୍ତି ଅଛନ୍ତି । ତେବେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଏହାପୂର୍ବରୁ ଜଣେ ୨ ବର୍ଷର ଶିଶୁ ଆକ୍ରାନ୍ତ ହୋଇଥିଲେ । ଏହାକୁ ଦେଖିଲେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ମଧ୍ୟ ବଢୁଥିବା ପରିଲକ୍ଷିତ ହେଉଛି । ରାଜ୍ୟରେ ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ଭିତରୁ ୩୯ ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦୨ଜଣ ରାଜ୍ୟର ଭିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।