ଖଇରା,ଏନ୍ଏନ୍ଏସ୍: ଗତକାଲି ବାଲେଶ୍ଵର ଜିଲ୍ଲାରେ ବାହାରିଥିବା ୩ଟି କରୋନା ପଜିଟିଭ ମଧ୍ୟରୁ ଗୋଟିଏ କରୋନା ପଜିଟିଭ ଖଇରା ବ୍ଲକର ବୋଲି ଜଣାପଡିଛି। ସୂଚନାରୁ ଜଣାଯାଏ ଯେ ଖଇରା ବ୍ଲକରେ ବାହାରିଥିବା କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ଅନ୍ତରା ପଞ୍ଚାୟତ କନ୍ଦଡ଼ା ଗ୍ରାମର ୬୧ ବର୍ଷୀୟ ବ୍ୟକ୍ତି ଅଟନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ କୋଲକତାର ଏକ ସୁନା ଦୋକାନରେ କାର୍ଯ୍ୟ କରିଆସୁଥିଲେ। ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ହୋଇଥିବାରୁ ସେ ଏକ ବୋଲେରୋ ସହାଯ୍ୟରେ ମାସେ ତଳୁ ନିଜ ଘରକୁ ଆସିଥିଲେ। ସେ ଘରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ଏବଂ ଆଶାକର୍ମୀଙ୍କ ନିର୍ଦ୍ଦେଶରେ ୧୮ ଦିନ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କୁ ଥଣ୍ଡା ଏବଂ କାଶ ହୋଇଥିଲା।
ଏ ନେଇ ସ୍ଥାନୀୟ ସରପଞ୍ଚ ଖଇରା ବିଡିଓଙ୍କୁ ଅବଗତ କରାଇଥିଲେ। ଗତ ୨୬ତାରିଖରେ ମାଖନପୁର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱସ୍ଥ୍ୟସେବା କେନ୍ଦ୍ରରେ ଉକ୍ତ ଯୁବକଙ୍କର ସ୍ୱାବ ନମୂନା ସଂଗ୍ରହ କରିଥିଲେ। ତେବେ ଗତକାଲି ସ୍ୱାବ ରିପୋର୍ଟ ଆସିବାପରେ ଉକ୍ତ ଯୁବକଙ୍କର କରୋନା ପଜିଟିଭ ବାହାରିଥିଲା।
ସୂଚନା ପାଇ ଖଇରା ବିଡିଓ, ସିମୁଳିଆ ଆଇଆଇସି ଏବଂ ମେଡିକାଲ ଟିମ କନ୍ଦଡ଼ା ଗ୍ରାମରେ ପହଞ୍ଚି ଉକ୍ତ ଯୁବକଙ୍କୁ ଭୁବେନେଶ୍ୱରର ଅଶ୍ୱନି ମେଡିକାଲକୁ ପଠାଇଥିବା ସୂଚନା ମିଳିଛି। ଏଥିସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।
ଆଜି ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଖାଇରା ତହସିଲଦାର ପ୍ରଦୀପ ସାହୁ, ଅତିରିକ୍ତ ତହସିଲଦାର ବିଭାସରଞ୍ଜନ ପାଣିଗ୍ରାହୀ, ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ସିମୁଳିଆ ଆଇଆଇସି ପର୍ଶୁରାମ ସାହୁ, ସ୍ଥାନୀୟ ସରପଞ୍ଚ ଅନନ୍ତ ମହାପାତ୍ର, ସ୍ଥାନୀୟ ସମିତିସଭ୍ୟ ନିରଞ୍ଜନ ଶତପଥୀ, ସ୍ଥାନୀୟ ଆରଆଇ ପ୍ରମୁଖ ଗ୍ରାମରେ ପହଞ୍ଚି କନ୍ଦଡ଼ା ଏବଂ ମହତୀପୁର ଦୁଇଟି ଗ୍ରାମକୁ ୭ ଦିନ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ସିଲ କରିଛନ୍ତି। ଏ ନେଇ ୧୦ଟି ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି।
ରାସ୍ତା ଗୁଡ଼ିକ ହେଲା ଅନ୍ତରା ପ୍ରବେଶ ପଥ, ଭୁଳିଆ, ଓସଙ୍ଗ, ଅନ୍ତରା ନୂଆରାସ୍ତା, ଅନ୍ତରା କେନାଲ ବନ୍ଧ, ବନ୍ଧଗାଁ, ଥାମ୍ବରୁଳି, ବାଣିତିଆ, ମହତୀପୁର ଶାସନ ରାସ୍ତା ଏବଂ କନ୍ଦଡ଼ା ଗ୍ରାମ ରାସ୍ତା। ଉକ୍ତ କ୍ୱାରେଣ୍ଟାଇନ ଅଞ୍ଚଳରେ ପ୍ରଶାସନ ସମସ୍ତ ଘରକୁ ପନିପରିବା, ରାସନ ସାମଗ୍ରୀ, ଔଷଧ ଏବଂ ଅତ୍ୟାବଶ୍ୟକ ଜିନିଷପତ୍ର ଯୋଗାଇଦେବା ସହିତ ସମସ୍ତ ଜନସାଧାରଣଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଆଡ଼ା ଦମକଳବାହିନୀ ଘଟଣାସ୍ଥଳେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିଥିବା ଜଣାପଡ଼ିଛି।