ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କରୋନା ମୁକାବିଲା ଜାରି ରହିଥିବା ବେଳେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିରେ ଜୁନ୍ ୧୭ ପରେ ପରୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରୁହିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ୟୁଜିସି ପକ୍ଷରୁ ବାକି ଥିବା ପରୀକ୍ଷା ନେଇ ଗାଇଡଲାଇନ ଜାରି ହୋଇଥିବା ବେଳେ ଓଡ଼ିଶା ଅନୁସାରେ ଯାହା ଠିକ୍ ହେବ, ତାହା ଆମେ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ। ଲକଡାଉନକୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ। ଯେକୌଣସି ସମୟରେ ପୁଣି ପରୀକ୍ଷା କରାଯିବ। ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭରସିଟି ଗ୍ରାଣ୍ଟ କମିସନ୍-ୟୁଜିସି ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି।
ମହାମାରୀ କରୋନା କାରଣରୁ ଅଟକି ରହିଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପରୀକ୍ଷା ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କଲା ୟୁଜିସି। ଏହି ପରିପ୍ରେକ୍ଷୀରେ ସବୁ ବିଶ୍ବବିଦ୍ୟାଳୟରେ କୋଭିଡ ୧୯ ସେଲ୍ ଗଠନ ହେବ। ସେହିପରି ବିଶ୍ୱବିଦ୍ୟାଳୟ ମାନଙ୍କରେ ଗଠନ ହୋଇଥିବା କୋଭିଡ ୧୯ ସେଲରେ ପିଲାମାନଙ୍କ ପରୀକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ କରିବା ସହ ସମସ୍ତ ସୂଚନା ପ୍ରଦାନ କରାଯିବ। ସେହିପରି ଇଣ୍ଟରମିଡିଏଟ୍ ସେମିଷ୍ଟର ପିଲାଙ୍କୁ ପୂର୍ବ ସେମିଷ୍ଟରକୁ ଦେଖି ଗ୍ରେଡ ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛି ୟୁଜିସି। ସେହିପରି ଶେଷ ଟର୍ମ ସେମିଷ୍ଟର ପିଲାଙ୍କ ପରୀକ୍ଷା ଅନୁଷ୍ଠିତ କରିବା ନେଇ ୟୁଜିସି ସୂଚନା ଦେଇଛି।