କଟକ,ଏନ୍ଏନ୍ଏସ୍ : ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ପରିଚାଳିତ ସ୍କୁଲ୍ କଲେଜ୍ ଫିସ୍, ବିଦ୍ୟୁତ୍ ବିଲ୍, ପାଣି ବିଲ୍ ଆଦି ଛାଡ କରିବା ପାଇଁ ରୁଜୁ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ହୋଇଛି। ଆବେଦନକାରୀ ଚକେଇସିଆଣିର ପ୍ରହ୍ଲାଦ ରାଉତଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଶତୃଘ୍ନ ପୂଜାହାରୀ ଓ ବିଚାରପତି ସି.ଆର ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେବା ସହ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଜୁ ମାମଲାରେ କୁହାଯାଇଛି ଯେ ଏହି ଲକଡାଉନ୍ ସମୟରେ ହିତାଧିକାରୀଙ୍କୁ ‘’ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’’ରେ ମାଗଣାରେ ରାସନ ସାମଗ୍ରୀ ପ୍ରଦାନ ସହ, ମାଗଣାରେ ଗ୍ୟାସ୍ ପ୍ରଦାନ କରିବାକୁ ସରକାର ବ୍ୟବସ୍ଥା କରନ୍ତୁ । ଲକଡାଉନ୍ କାରଣରୁ ସରକାରୀ, ବେସରକାରୀ ଚାକିରି କରିଥିବା ଲୋକମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି।
ଡିଜାଷ୍ଟର ମ୍ୟାନେଜମେଂଟ୍ ଆଇନ ଏ ପ୍ରସଙ୍ଗରେ ଭେଦଭାବର ଉଦ୍ଧ୍ୱର୍ରେ। କରୋନା ସଂକ୍ରମଣ କାରଣରୁ ସବୁ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ଘରେ ରହୁଛନ୍ତି । ପ୍ରତ୍ୟେକ ଲୋକ ଘରେ ରହୁଥିବାରୁ ସରକାରୀ କର୍ମଚାରୀଙ୍କୁ ଛାଡି ଅନ୍ୟମାନେ ଆୟର ଉତ୍ସ ହରାଇ ବସିଛନ୍ତି। ଏପରି କ୍ଷେତ୍ରରେ ଆୟ ହରାଇଥିବା ଲୋକଙ୍କ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରିଲିଫ୍ ଦେବା ଜରୁରୀ ହୋଇପଡିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି କୁହାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ, ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ, ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ, ଲୋକ ସମ୍ପର୍କ ବିଭାଗ, ସେସୁ, ୱେସ୍କୋ, ନେସ୍କୋ, ସାଉଥ୍କେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ, ଶକ୍ତି ସଚିବ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟରେ ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ ରାଉତ ରାଉତ ପରିଚାଳନା କରୁଛନ୍ତି।