ରେଳବାଇ ପୁଲିସ ପକ୍ଷରୁ ୪୭ଜଣ ଶ୍ରମିକ ଉଦ୍ଧାର

ରାୟଗଡା,ଏନ୍ଏନ୍ଏସ୍ : ସୀମା ପାର ପାଇଁ ଗଳାବାଟ ସାଜିଛି ରେଳଲାଇନ ! ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ ରାଜ୍ୟର ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଚଂଳରେ ଥିବା ଶିଳ୍ପସଂସ୍ଥାରେ ଶ୍ରମିକ ଭାବେ କାମ କରି ନିଜ ପେଟ ପାଟଣା କରୁଥିବା ବେଳେ ତାଲା ବନ୍ଦ ପରଠାରୁ ସମସ୍ତଙ୍କ ଜୀବନଜୀବିକାର ଉପାର୍ଜନ ପନ୍ଥା ଠପ ହୋଇଯାଇଛି। ଓଡ଼ିଶା ଆନ୍ଧ୍ରର ଶିମାବର୍ତି ଜିଲ୍ଲା ରାୟଗଡା ହୋଇଥିବା ବେଳେ ଏହି ଶ୍ରମିକମାନେ ପ୍ରତିଦିନ ରାୟଗଡା ଦେଇ ପଡୋଶୀ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ପୁଲିସ ଉଦ୍ଧାର କରି ସଂଗରୋଧକେନ୍ଦ୍ରକୁ ନିତି ପଠାଉଛି। ତାଲାବନ୍ଦ ସମୟରେ ଏମାନେ ଦୁଇ ଓଳିଏ ଖାଇବାକୁ ନପାଇ ଶେଷରେ ଶତାଧିକ କିଲୋମିଟର ଚାଲିଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତିି । ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଶାସନ ଏମାନଙ୍କୁ ଘରକୁ ଫେରିଯିବାର ବାଟ ଦେଖାଉଥିବା ଆଜି ରେଳ ଧାରଣାରେ ଚାଲିଚାଲି ଆସି ରେଲୱେ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା କିଛି ଶ୍ରମିକ ସୂଚନାରୁ ଜଣାପଡ଼ିଛି ।

ସେପଟେ ଆନ୍ଧ୍ର ରାଜ୍ୟରେ କୋରନା ପରିସ୍ଥିତି ଭୟାବହ ହୋଇଥିବାବେଳେ ଉକ୍ତ ଅଚଂଳରୁ ଶତାଧିକ ମାତ୍ରରେ ଦାଦନ ଶ୍ରମିକମାନେ ରାୟଗଡାକୁ ଅବାଧ ପ୍ରବେଶ କରୁଥିବାରୁ ଜିଲ୍ଲାରେ ସଂକ୍ରମଣ ଚିନ୍ତାର ଆଶଂଙ୍କା ବଢ଼ିଛି । ଏନେଇ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ସୀମା ସୁରକ୍ଷା ସଂକ୍ରାନ୍ତରେ ପଡୋଶୀ ରାଜ୍ୟ ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ନିରନ୍ତ ଯୋଗାଯୋଗ ସ୍ତାପନ କରିବା ସହ ଚିଠି ମାଧ୍ୟମରେ ମଧ୍ୟ ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସୂଚିତ କରିଥିବା ସୂଚନା ଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଏଭଳି ମନ୍ତବ୍ୟର ସତ୍ୟତା ଯାଚଂ କଲା ପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଶ୍ରବଣା ବିବେକ ଏମ ମତବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ କରୋନା ମହାମାରୀ ଭୂାତଣୁକୁ ପ୍ରତିହତ କରିବା ସକାଶେ ସରକାର ତାଲାବନ୍ଦ କଟକଣା ଲାଗୁ କରିଥିବାରୁ ରାୟଗଡା ସୀମାରେ ଯାଚଂର କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାନ୍ତ କେରେଡା ଠାରେ ଆନ୍ଧ୍ରପଟୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଓ ଭାରିଯାନ ବାହନ କଡା ଯାଚଂ ପରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିବା ବେଳେ ସେପଟୁ ଆସୁଥିବା ଶ୍ରମିକମାନେ ସଡକ ପଥ ଛାଡ଼ି ରେଳ ଲାଇନ ଯୋଗେ ରାୟଗଡାରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ଆଜି ଆନ୍ଧ୍ରପ୍ରଦେଶ ବିଜୟନଗରରୁ ଓଡିଶାର ବରଗଡ ସମ୍ବଲପୁରକୁ ରେଳଧାରଣାରେ ଚାଲିଚାଲି ଆସୁଥିବା ୪୭ ଜଣ ଶ୍ରମିକଙ୍କୁ ଧରିଛି ରାୟଗଡା ରେଳବାଇ ପୁଲିସ। ଏହି ଶ୍ରମିକମାନେ ଟ୍ରେନ ଟ୍ରକରେ ଚାଲିଚାଲି ଆସୁଥିବା ଖବର ପାଇ ରେଳବାଇ ପୋଲିସ ରାୟଗଡା-ଆନ୍ଧ୍ର ସୀମାନ୍ତ ଜେମାଦେଇ ପେଣ୍ଠ ନିକଟରେ ଏମାନଙ୍କୁ ଅଟକାଇଥିଲା।

ତଦନ୍ତ ବେଳେ ଏମାନେ ଆନ୍ଧ୍ରପ୍ରଦେଶ ବିଜୟନଗରରେ ଏକ ପ୍ଲାଇଉଡ କାରଖାନାରେ କାମ କରୁଥିବା ଜଣାଯାଇଛି । ଲକ ଡାଉନ ପରେ ଏହି କାରଖାନା ବନ୍ଦ ହୋଇ ଯିବାରୁ ଏହାର ମାଲିକ ଶ୍ରମିକମାନଙ୍କୁ ମଜୁରୀ ଦେଇ ନଥିଲା। ଖାଦ୍ୟପେୟ ଅଭାବରୁ ଏହି ଶ୍ରମିକମାନେ ବାଧ୍ୟ ହୋଇ ରେଳ ଧାରଣାରେ ଚାଲିଚାଲି ନିଜ ଘରକୁ ଯାଉଥିବା ବେଳେ ସେମାନଙ୍କୁ ରେଳ ସୁରକ୍ଷା ପୁଲିସ ଉଦ୍ଧାର କରି ସ୍ଥାନୀୟ ଶେଷଖାଲ ଥାନାରେ ହସ୍ତାନ୍ତରଣ କରିଥିବା ରେଲବାଇ ସୁରକ୍ଷା ଅଧିକାରୀ ଡିଏନ ତ୍ରିଲୋକ ସୂଚନା ଦେଇଛନ୍ତି । ଧରା ପଡିିଥିବା ଏହି ୪୭ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରି ସଂଗରୋଧକେନ୍ଦ୍ରକୁ ପଠାଯାଇଥିବା ଶ୍ରୀ ତ୍ରିଲୋକ ସୂଚନା ଦେଇଛନ୍ତି।