ରାଜ୍ୟରେ ଆଉ ୭ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ସୁନ୍ଦରଗଡ଼ର ଓ ୩ ଜଣ ଭଦ୍ରକର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ରାଉଲକେଲାର ନର୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୫୫ ଓ ୩୫ ବର୍ଷୀୟ ୨ଜଣ ମହିଳା ରହିଥିବା ବେଳେ ୩୮ ଓ ୨୭ ବର୍ଷୀୟ ୨ଜଣ ପୁରୁଷ ରହିଛନ୍ତି। ଭଦ୍ରକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୮,୨୮ ଓ ୨୯ ରହିଛି । ଏ ସମସ୍ତେ ପୁରୁଷ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି। ଏଥିସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ୧୧୮ ଜଣଙ୍କ ମଧ୍ୟରୁ ୮୦ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି।