ପୁଣି ଗଞ୍ଜାମର ପାତି ସୋନପୁରରେ ଲାଗିଲା ଚେନ୍ନାଇର ବୋଟ

ବ୍ରହ୍ମପୁର,ଏନ୍ଏନ୍ଏସ୍ : ବାହାର ରାଜ୍ୟରୁ ସମୁଦ୍ରପଥ ଦେଇ ଆସୁଥିବା ମତ୍ସଜୀବୀଙ୍କ ସଂଖ୍ୟା ଏବେ ଧୀରେ ଧୀରେ ବଢିବାରେ ଲାଗିଛି। ଦୁଇ ଦିନ ତଳେ ୩୮ଜଣ ମତ୍ସଜୀବୀ କର୍ଣର୍ାଟକର ମାଙ୍ଗୋଲୋରୁ ଗଞ୍ଜାମ ଜିଲ୍ଲାର ପାତି ସୁନାପୁରକୁ ଆସିଥିବା ବେଳେ ପୂର୍ବ ଧାର୍ଯ୍ୟ ତାରିଖ ଅନୁଯାୟୀ ଆଜି ଆଉ ଏକ ବୋଟ୍ ଅପରାହ୍ନ ୩ଟା ବେଳେ ସେହି ପାତି ସୋନପୁର ସମୁଦ୍ରକୂଳରେ ଲାଗିଛି। ବଙ୍ଗୋପସାଗରରେ ସାଢେ ୩ ଦିନ ଯାତ୍ରା କରି ୧୨ ଜଣ ମତ୍ସଜୀବୀ ଏଠାରେ ପହଂଚିଥିବା କହିଛନ୍ତି। ପଂହଚିବାର କିଛି ସମୟ ପୂର୍ବରୁ ଅର୍ଥାତ ଶହେ କିଲୋମିଟର ପୂର୍ବରୁ ବୋଟରେ ଡିଜେଲ୍ ସରିଯାଇଥିବା ଯୋଗୁଁ ପୁଣି ଏକ ଡଙ୍ଗା ଡିଜେଲ ନେଇ ଯାଇଥିଲା।

ଉକ୍ତ ବୋଟରେ ଡିଜେଲ୍ ପକାଇ ଏଠାକୁ ଅଣାଯାଇଛି। ମୋବାଇଲ୍ ଜିପିଏସ୍ ଦେଖି ସମୁଦ୍ର ପଥରେ ବାଟ ପାଇ ଏମାନେ ଏଠାରେ ପଂହଚିଥିବା କହିଛନ୍ତି ମତ୍ସଜୀବୀମାନେ। ବୋଟରେ ପୂର୍ବ ସୂଚନା ମୁତାବକ ୩୯ ଜଣ ମତ୍ସଜୀବୀ ଆସୁଥିବା ନେଇ ଖବର ପ୍ରଶାସନ ନିକଟରେ ଥିବା ବେଳେ ହଠାତ୍ କିପରି ୧୨ଜଣ ଏଠାକୁ ଆସିଲେ ସେ ନେଇ ପ୍ରଶାସନ ଚିନ୍ତାରେ ରହିଥିଲା। ତେବେ ଉକ୍ତ ଲୋକମାନଙ୍କ ସହ ଆଲୋଚନା କରିବା ବେଳେ ସେମାନେ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ସୂଚନା ମୁତାବକ ୩୯ ଜଣ ଯାତ୍ରୀଙ୍କ ମଧ୍ୟରେ ୧୪ ଜଣ ପ୍ରଥମେ ଆନ୍ଧ୍ରପ୍ରଦେଶ କାକିନାଡାର ସମୁଦ୍ରକୂଳରେ ଓହ୍ଲାଇଥିଲେ। ପରେ ବୋଟ୍ରେ ବସିଥିବା ଅନ୍ୟ ୨୫ଜଣଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ୍ ଥାନା ଅନ୍ତର୍ଗତ ରାମାୟାପାଟଣା କୂଳରେ ପଂହଚିଥିଲେ ।

ଅନ୍ୟ ୧୩ ଜଣଙ୍କ ମଧ୍ୟ ୩ ଜଣ ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ଗ୍ରାମ ନିକଟ ସମୁଦ୍ରକୂଳରେ ଓହ୍ଲାଇଥିବା ବେଲେ ଶେଷରେ ଥିବା ୧୦ ଜଣ ପାତି ସୁନାପୁର ଗ୍ରାମ ନିକଟ ସମୁଦ୍ରକୂଳରେ ଓହ୍ଲାଇଥିଲେ। ଉକ୍ତ ବୋଟ୍ ପାତି ସୋନପୁର କୂଳରେ ପଂହଚିବା ପୂର୍ବରୁ ସେଠାରେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଓହ୍ଲାଇଥିବା ସମସ୍ତ ସ୍ଥାନର ବିଡିତ୍ତ୍ୱଓ ଏବଂ ତହସିଲଦାରଙ୍କୁ ଏନେଇ ତୁରନ୍ତ ଖବର ଦିଆଯାଇଥିଲା । ସେହିପରି ଆନ୍ଧ୍ରପ୍ରଦେଶ କାକିନାଡା ଅଂଚଳର ସମସ୍ତ ୧୪ ଜଣଙ୍କୁ ତୁରନ୍ତ ଚିକିତ୍ସା ସହ କ୍ୱାରେନ୍ଟାଇନ୍ରେ ରଖିବା ପାଇଁ ସେଠାକାର ପ୍ରଶାସନ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ ଆଲୋଚନା କରିଥିଲେ।

ଗଞ୍ଜାମରେ ଓହ୍ଲାଇଥିବା ରାମୟାପାଟଣା, ମାର୍କଣ୍ଡି ଏବଂ ପାତିସୁନାପୁରର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ କ୍ୱାରେନ୍ଟାଇନ୍ରେ ରଖାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ପରେ ସେମାନଙ୍କୁ ନିକଟସ୍ଥ କ୍ୱାରେନ୍ଟାଇନ୍ ରୁମ୍କୁ ନିଆଯାଇଥିଲା। ଏହି ବୋଟ୍କୁ ମଧ୍ୟ ୩୯ ଜଣ ଲକ୍ଷାଧିକ ଟଙ୍କା ଦେଇ କିଣି ଆଣିଥିବା କହିଛନ୍ତି। ତେବେ ଚେନ୍ନାଇରୁ ଏଠାରେ ପଂହଚିଥିବା ମଧ୍ୟରେ ସେମାନଙ୍କୁ ସାଢେ ୩ ଦିନ ସମୟ ଲାଗିଛି। ୩ ଦିନ କାଳ ଅତି କଷ୍ଟରେ ସେମାନେ ଆସିଥିବା ବେଳେ ଉକ୍ତ ବୋଟ ମଧ୍ୟରେ ହିଁ ରାନ୍ଧିବା ଏବଂ ଖାଇବା ବ୍ୟବସ୍ଥା କରୁଥିଲେ। ବାହାରିବାର ଗୋଟିଏ ଦିନ ପରେ ରାତିରେ ଗଭୀର ସମୁଦ୍ର ମଧ୍ୟରେ ପ୍ରବଳ ବର୍ଷା ଏବଂ ପବନ ମଧ୍ୟ ହୋଇଥିଲା। ତେବେ ଭୟଭୀତ ଅବସ୍ଥାରେ ସେମାନେ ଭଗବାନଙ୍କୁ ସ୍ମରଣ କରିଥିଲେ।

ଚେନ୍ନାଇରେ ରହୁଥିବା ବେଳେ ଏହି ମତ୍ସଜୀବୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଲକ୍ଡାଉନ୍ ହେବା ଦିନଠାରୁ ସେମାନେ ସମୁଦ୍ର କୂଳରେ ବୋଟରେ ହିଁ ରହୁୁଥିଲେ। ଭଲରେ ଖାଇବାକୁ ମିଳୁନଥିବା ଯୋଗୁଁ ବାଧ୍ୟ ହୋଇ ସେଠାକାର ମତ୍ସଜୀବୀଙ୍କ ସହ ଆଲୋଚନା କରି ବୋଟ୍ କିଣି ଆସିଥିବା କହିଛନ୍ତି। ଆଉ ଏକ ବୋଟ ମଧ୍ୟ ଆସୁଛି। ସେଥିରେ ମଧ୍ୟ ୩୩ ଜଣ ଯାତ୍ରୀ ଆସୁଛନ୍ତି। ସେମାନେ ଆଜି ସନ୍ଧ୍ୟା କିମ୍ବା କାଲି କିମ୍ବା ବିଳମ୍ବିତ ରାତିରେ ଆର୍ଯ୍ୟପଲ୍ଲି ସମୂଦ୍ରକୂଳରେ ପଂହଚିବେ ବୋଲି ସୂଚନା ମିଳିଛି। ତେବେ ସେମାନଙ୍କ ମଧ୍ୟରୁ ଆର୍ଯ୍ୟପଲ୍ଲି ଗ୍ରାମର ୨୧ ଜଣ ମାର୍କଣ୍ଡି ଗ୍ରାମର ୫ ଜଣ, ସୋନପୁରର ଜଣେ, ରାମାୟାପାଟଣାର ଜଣେ, ପୁରୀ ଜିଲ୍ଲାର ଜଣେ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଥିବା ସୂଚନା ମିଳିଛି। ଏ ନେଇ ପ୍ରଶାସନ ନିକଟରେ ଖବର ଥିବା ମଧ୍ୟ କୁହାଯାଇଛି।

ଆଜି ପାତି ସୋନପୁର ସମୁଦ୍ରକୂଳରେ ବୋଟ୍ ପଂହଚିବା ପୂର୍ବରୁ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ, ସଦର ଏସଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ବାହାର ରାଜ୍ୟରେ ଥିବା ଲୋକମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ବାଧ୍ୟ ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ସମୁଦ୍ରପଥ ଦେଇ ଆସୁଛନ୍ତି। ତେବେ ଏମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେନ୍ଟାଇନ୍ରେ ରହିବା ବ୍ୟବସ୍ଥା ନିହାତି ଆବଶ୍ୟକ । ପୂୁର୍ବରୁ ମାତ୍ର ୪ଟି ବୋଟରେ ଶ୍ରମିକମାନେ ଆସୁଥିବା ସୂଚନା ମିଳିଥିବା ବେଳେ ଏକ ବଡ ଲଞ୍ଚରେ ମଧ୍ୟ ୨୦୦ରୁ ଅଧିକ ଶ୍ରମିକ ଆସୁଥିବା ଫୁଟେଜ୍ ମିଳିଥିଲା। ତାହା ନ ପହଞ୍ôଚ ଅଳ୍ପ ଅଳ୍ପ ଲୋକ ଛୋଟ ଛୋଟ ଡଙ୍ଗାରେ ପହଂଚୁଥିବାରୁ ସେହି ବଡ ଲଞ୍ଚଟି ବାଟରେ କେଉଁଠି ଅଟକି ସେଥିବରୁ ଧିରେ ଧିରେ ଶ୍ରମିକମାନେ ଛୋଟ ଛୋଟ ବୋଟରେ ଆସୁଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଇଛି।