ନୂଆଦିଲ୍ଲୀ: ପ୍ଲାଜମା ଥେରୋପୀର ସଫଳ ପରୀକ୍ଷଣର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଏହି ଥେରୋପୀ ମାଧ୍ୟମରେ ଦିଲ୍ଲୀର ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏପ୍ରିଲ ୪ ତାରିଖରେ ୪୯ ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ସାକେତର ମେକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ବ୍ୟକ୍ତି ଜଣଙ୍କୁ ପ୍ରଥମେ ଜ୍ୱର ଓ ଶ୍ୱାସ ଜନିତ ସମସ୍ୟା ହେବା ପରେ ନିମୋନିଆର ଲକ୍ଷଣ ଦେଖାଯିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା। ଏପରି ଚିନ୍ତାଜନକ ସ୍ଥିତି ଦେଖି ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। ଯେତେବେଳେ ତାଙ୍କୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖାଗଲା ନାହିଁ ସେତେବେଳେ ପ୍ଲାଜମା ଥେରୋପିକୁ ବିକଳ୍ପ ଭାବେ ଆପଣାଯାଇଥିଲା। ପରେ ପରିବାରବର୍ଗ ୩ ସପ୍ତାହ ପୂର୍ବରୁ କରୋନାକୁ ମାତ ଦେଇଥିବା ଜଣେ ମହିଳାକୁ ପାଇଥିଲେ। ଅନେକ ଯାଞ୍ଚ ପରେ ମହିଳା ଜଣଙ୍କୁ ପ୍ଲଜମା ଦେବାର ଅନୁମତି ମିଳିଲା। ଆଉ ଏହି ଥେରୋପୀ ଦ୍ୱାରା ବ୍ୟକ୍ତି ଜଣକ ଠିକ୍ ହୋଇଥିବା ସୂଚନା ମିଳିଛି।