ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁଜୁରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡ଼ିଶାକୁ ଫେରାଇ ଆଣିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ। ଆଲୋଚନାରେ ଗୃହୀତ ନିଷ୍ପତ୍ତି ଅନୁସାରେ ଗୁଜୁରାଟରୁ ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟରୁ ୨ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ।
ମୁଖ୍ୟତଃ ସେମାନଙ୍କୁ ବସ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଏତଦବ୍ୟତୀତ ପରିବହନ ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ।
ସେହିପରି ଓଡ଼ିଶା ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତା ମୂଳକ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ଯାହାଦ୍ୱାରାକି ଓଡ଼ିଶାରେ ପହଞ୍ଚିବାପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିିବ।
ଏଥିସହ ଗୁଜୁରାଟରୁ ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ରୋଡ ଟ୍ୟାକ୍ସ ଛାଡ କରିବାକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।