ଭୁବନେଶ୍ୱର : ଯାଜପୁରରେ ପୁଣି ୫ କରୋନା ପଜେଟିଭ୍ ଚିହ୍ନଟ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ଛୁଇଁଛି। ଏ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଖବର ମିଳିଥିଲା ଓ ସୁନ୍ଦରଗଡ଼ ଜିଲ୍ଲା କରୋନା ମୁକ୍ତ ହେଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ବେଳେ ପୁଣି ଯାଜପୁର ଜିଲ୍ଲା ୫ କରୋନା ରୋଗୀ ଚିହ୍ନଟ ହେବା ରାଜ୍ୟ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।
ଉଲ୍ଲେଖ ଯୋଗ୍ୟ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ରାଜ୍ୟ ସରକାର ୨୩ତାରିଖ ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଥିଲେ। ହେଲେ ଶୁକ୍ରାବାର ଭଦ୍ରକରୁ ୪ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା ବେଳେ ଆଜି ଯାଜପୁରରୁ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଥିବାବେଳେ ସେଥିମଧ୍ୟରୁ ୩୪ଜଣ ସୁସ୍ଥ ହୋଇସାରିଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬୪ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।