ଆଜିଠୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ଆସନ୍ତା ୫ ଦିନ ଯାଏଁ ସାରା ରାଜ୍ୟରେ ଝଡ଼ବର୍ଷା ଲାଗିରହିବ। ବହୁ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ବେଳେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ସହ ୪୦ରୁ ୫୦ କିମି ବେଗରେ ପବନ ବହିବ । ଏହାସହ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଗଞ୍ଜମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ଅନ୍ୟ ଜିଲ୍ଲାଗୁଡିକରେ ଝଡ଼ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୫ ଓ ୨୬ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବ। ୨୭ ଓ ୨୮ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କୌଣସି ପ୍ରକାର ବିପର୍ୟ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି।