କାଳ ବୈଶାଖୀର ତାଣ୍ଡବ

ପାଟଣା,ଏନ୍ଏନ୍ଏସ୍ : କାଳ ବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ହୋଇଛି । ସାହାରପଡା ବ୍ଲକର ମଲାରପଦା ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ବାଲିପଶି ଓ ମୟୁରପଙ୍ଖା ଗ୍ରାମରେ ୪୦ ରୁ ଉର୍ଦ୍ଧ ଲୋକଙ୍କ ଘରର ଆଜବେଷ୍ଟ ଭାଙ୍ଗି ଯାଇଛି। ବନ ମାଳିପୁର ଗ୍ରାମର ହାରାମଣୀ ନାଏକଙ୍କ ପରିବାର ଘରେ ଥିବା ବେଳେ ଏକ ଆମ୍ବଗଛ ଘର ଉପରେ ପଡି ଟାଇଲ ଛପର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥି ସହିତ ଅଧିକାରୀ ନାଏକଙ୍କ ଆଜବେଷ୍ଟ ଘରର ଛପର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିପରି ବାଇକଳା ଲୁଙ୍ଗା ଅଞ୍ଚଳରେ କୁଆପଥର ମାଡ଼ରେ ଅନେକ ପନିପରିବା ଚାଷ ନଷ୍ଟ ହୋଇଛି। ଖବର ପାଇ ଉକ୍ତ ଅଞ୍ଚଳରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ ପହଂଚି କ୍ଷୟକ୍ଷତି ଆକଳନ କରିଛନ୍ତି । ଖୁବ ଶୀଘ୍ର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କ୍ଷତି ଗ୍ରସ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ତୁରୁମୁଙ୍ଗା ଅଞ୍ଚଳରେ କୁଆ ପଥର ମାଡ଼ରେ ତଳ ସାହି ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି। କୁଆ ପଥର ମାଡ଼ରେ ଅନେକ ଲୋକଙ୍କ ଗାଡିର କାଚ ଭାଙ୍ଗିଯାଇଛି।