ୱାଶିଂଟନ,ଏଜେନ୍ସି: କରୋନା ମହାମାରୀରେ ସାରା ବିଶ୍ୱ ଅତିଷ୍ଠ ହୋଇଯାଇଥିବା ବେଳେ ଆମେରିକାରେ ଏହା ତାଣ୍ଡବ କରୁଛି। ଏ ନେଇ ଆମେରିକାରେ ୬୦ ଦିନ ପର୍ଯ୍ୟନ୍ତ ବିଦେଶୀ ନାଗରିକମାନେ ନ ରହନ୍ତୁ ବୋଲି କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଘୋଷଣା କରିଛନ୍ତି। ଟ୍ରମ୍ପ ବୁଧବାର ସକାଳୁ କହିଛନ୍ତି, ଏବେ ଆଗାମୀ ୬୦ ଦିନ ଯାଏଁ ବାହାରୁ ଆସିଥିବା ଲୋକଙ୍କୁ ଆମେରିକାରେ ରହିବା ପାଇଁ ଅନୁମତି ମିଳିବ ନାହିଁ। କରୋନା ଭାଇରସ ଯୋଗୁଁ ଦେଖାଯାଇଥିବା ଅର୍ଥବ୍ୟବସ୍ଥା ଉପରେ ଦେଖାଯାଇଥିବା ସଂକଟକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି।
ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି, ମୁଁ ସଂଯୁକ୍ତ ରାଜ୍ୟ ଆମେରିକାରେ ଇମିଗ୍ରେଶନ ଉପରେ ଅସ୍ଥାୟୀ ରହଣି କଟକଣା ଲଗାଇବା ନେଇ ଘୋଷଣା କରୁଛି। ଏହି କଟକଣା ୬୦ ଦିନ ପାଇଁ ପ୍ରଭାବିତ ହେବ। ଏହା ପରେ ସେହି ସମୟର ଆର୍ଥିକ ସ୍ଥିତି ଦେଖି ସଂଶୋଧନର ଆବଶ୍ୟକତା ମୂଲ୍ୟାଙ୍କନ କରାଯିବ। ସୂଚନାଯୋଗ୍ୟ, ଆମେରିକାରେ ପାଖାପାଖି ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି।
ଏହା ପୂର୍ବରୁ ଟ୍ରମ୍ପ ମଙ୍ଗଳବାର ସକାଳୁ ଟୁଇଟରେ କହିଥିଲେ, ଶତ୍ରୁଙ୍କ ଆକ୍ରମଣ ଦ୍ୱାରା ଯେଉଁ ସ୍ଥିତି ଉପୁଜିଛି, ଏଥିରେ ଆମର ମହାନ ଆମେରିକୀୟଙ୍କ ଚାକିରି ବଞ୍ଚାଇବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ଆଦେଶନାମାରେ ମୁଁ ହସ୍ତାକ୍ଷର କରୁଛି। ଏହା ଅଣଆମେରିକୀୟମାନେ ଏଠାରେ ରହିବା ଉପରେ କଟକଣା ଲାଗୁ ହେବ। ଆମେରିକାର ଏହି ନିଷ୍ପତ୍ତି ଭାରତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଯାଇଛି।କାରଣ ପ୍ରତି ବର୍ଷ ଭାରତୀୟ ଯୁବପୀଢ଼ି ଆମେରିକାରେ ଚାକିରି କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।