ଲକ୍ ଡାଉନ୍ ସମସ୍ୟା : ଦୁର୍ଦ୍ଦଶାରେ ଶହଶହ ଗୁପଚୁପ ବେପାରୀ

ଝାରସୁଗୁଡା,ଏନ୍ଏନ୍ଏସ୍ : ଓଡ଼ିଶାର ସମସ୍ତ ଜିଲ୍ଲାରେ ଗୁପୁଚୁକୁ ଲୋକେ ବେଶ ଆଦରରେ ଖାଇ ଥାଆନ୍ତି । ଫଳରେ ଗୁପୁଚୁପ ବକ୍ରିକୁ ଜୀବିକା ଆକାରରେ ଗ୍ରହଣକରି ରାଜ୍ୟରେ ବହୁ ଲୋକ ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି । ଗୁପୁଚୁପ ନାଁ ଶୁଣିଲେ ଲୋକଙ୍କ ମୁହଁରେ ପାଣି ଆସି ଯାଏ, ହେଲେ ଏବେ ଲକ ଡାଉନ ଯୋଗୁଁ ଗୁପଚୁପ ବେପାରୀଙ୍କ ଆଖିରେ ପାଣି ଆସି ଯାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଲୋକଙ୍କ ଗହଳିକୁ ମଧ୍ୟ ବାରଣ କରାଯାଇଛି । ଫଳରେ ଗୁପଚୁପ ଦୋକାନୀଙ୍କ ଏକମାସ ହେବ ବେପାର ବନ୍ଦ ରହିଛି। ପ୍ରତିଦିନ ଗୁପଚୁପ ବିକ୍ରିକରି ଆୟ କରୁଥିବା ଟଙ୍କାରେ ଏମାନଙ୍କ ପରିବାର ଚଳେ। ପରିବାର ପ୍ରତିପୋଷଣ ପାଇଁ ଏହାଛଡା ଏମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ।

ମାସମାସ ଧରି ବେପାର ଠପ ଥିବାରୁ ଏବେ ଝାରସୁଗୁଡା ଜିଲ୍ଲାର ଶହଶହ ଗୁପଚୁପବାଲାଙ୍କ ପରିବାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।  ମହାମାରୀ କରୋନା ଏବେ ଏହି ଗୁପଚୁପ ବିକାଲିଙ୍କ ମୁହଁରୁ ହସ ଓ ପେଟରୁ ଦାନା ଛଡାଇ ନେଇଛି। ଲକ ଡାଉନ ଯୋଗୁଁ ଏବେ ବେପାର ଠପ ଥିବାରୁ ଏମାନେ ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି। କିଛି ଗୁପୁଚୁପ ବିକାଳିଙ୍କୁ ସରକାର ଦେଇଥିବା ଚାଉଳ ଓ ସରକାରୀ ସହାୟତା ମିଳିଥିବା ଅନେକ ଏଥିରୁ ବଂଚିତ ରହିଛନ୍ତି।

ଗୁପୁଚୁପ ବିକ୍ରି କରି ୨ ପଇସା ରୋଜଗାର କରିବା ନେଇ ବାହାର ରାଜ୍ୟରୁ ଝାରସୁଗୁଡାକୁ ଆସିଥିବା ବୋପାରୀଙ୍କ ପରିସ୍ଥିତି ଏବେ ଆହୁରି ଦୟନୀୟ ହୋଇ ପଡିଛି। ପରିବାର ମୁହଁରେ ଦିମୁଠା ଦାନା ଦେବା ମଧ୍ୟ ଏମାନେ ଏବେ ଅସହାୟ। ଏମିତି ଦୃଶ୍ୟ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଂଚଳ ଅନ୍ତର୍ଗତଃ ଗଙ୍ଗାନଗରରେ ଦେଖିବାକୁ ମିଲିଛି । ଏଠାକୁ ଦୀର୍ଘ ବର୍ଷରୁ ବିହାର ଅଂଚଳର ୧୫୦ରୁ ଉର୍ଦ୍ଧ ଗୁପଚୁପ ବିକାଳି ପରିବାର ଆସି ରହିବାସହ ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ ଆଦି ସ୍ଥାନରେ ବେପାର କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଁଠୁ ସହର ସବୁସ୍ଥାନରେ ଲକ ଡାଉନ କଡାକଡି କରାଯାଇଛି।

ଏହାର ସିଧା ସଳଖ ପ୍ରଭାବ ଏହି ଗୁପୁଚୁପ ଦୋକାନୀମାନଙ୍କ ଉପରେ ପଡିଛି । ସତେ ଯେମିତି ମହାମାରୀ କରୋନା ଏମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏନେଇ ଗୁପୁଚୁପ ବିକାଳି ଗୋପାଳ ସାହୁ କହିିଛନ୍ତି ପାଖରେ ସଂଚୟ ଥିବା ସମସ୍ତ ଟଙ୍କା ଏକମାସ ମଧ୍ୟରେ ଶେଷ ହୋଇ ସାରିଛି। ଲକ ଡାଉନ ଖୋଳିବାକୁ ଆହୁରି ଅନେକ ଦିନ ବାକି ରହିଛି। ଲକଡାଉନ ପରେ ମଧ୍ୟ ବେପାର ସାମନ୍ୟ ହେବାକୁ ଅନେକ ଦିନ ଲାଗି ପାରେ ତେଣୁ ଗୁପଚୁପ ବିକାଳିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ପ୍ରଦାନ କରାନଗଲେ ସେମାନଙ୍କ ପରିବାରବର୍ଗଙ୍କୁ କେତେଦନି ଯେ ଭୋକ ଉପାସରେ ରହିବାକୁ ପଡିବ।