ଯୁବକଙ୍କୁ ସଂଘ ବଦ୍ଧ ଭାବେ ଛୁରା ମାଡ଼, ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର

ଦେବଗଡ଼,ଏନ୍ଏନ୍ଏସ୍: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗତକାଲି ରାତ୍ରିରେ ସଂଘବଦ୍ଧ ଭାବେ ଛୁରାମାଡ କରାଯାଇଥିବା ଜଣାପଡ଼ିଛି। ତେବେ ଏ ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପଟେ ଉକ୍ତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସୂଚନା ମୁତାବକ ଗତକାଲି ରାତ୍ରି ପ୍ରାୟ ସାଢ଼େ ୮ଟା ସମୟରେ ସ୍ଥାନୀୟ ପ୍ରଧାନପାଟ ରୋଡ଼ କଡରେ ଏକ ଯୁବକ କ୍ଷତାକ୍ତ ହୋଇ ପଡିଥିବା ପୁଲିସକୁ ସୂଚନା ମିଳିଥିଲା। ପରେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂଜ୍ଞାହୀନ ହୋଇପଡିଥିବା ଗୁରୁତର ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଉକ୍ତ ଯୁବକ ଜଣଙ୍କ ବାବୁସାହି ଅଞ୍ଚଳର ପ୍ରତାପ ସିଂଙ୍କ ପୁଅ ଗୋବିନ୍ଦ ସିଂ(୨୦)।

ପୁଲିସ ଠାରୁ ସୂଚନା ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଗୁରତର ଯୁବକ ଗୋବିନ୍ଦ ଠାରୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗୁତର ଗୋବିନ୍ଦଙ୍କ ବାପା ପ୍ରତାପ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପୁଅକୁ ମହୁଲଢିପା ଅଞ୍ଚଳର ନରି ଦାସ ଫୋନ କରି ଘଟଣାସ୍ଥଳକୁ ଡାକିଥିଲା। ସେଠାରେ ପୂର୍ବରୁ ଛକି ରହିଥିବା ବାବୁ ଦାସ, ଅମିତ, ସୁମିତ, ବାବୁ ଏବଂ ଆରସିଏମଏସ ସାହିର ଯୁବକ ଅଚାନକ ଏକ ଠେଙ୍ଗା ସାହାଯ୍ୟରେ ଗୋବିନ୍ଦର ମୁଣ୍ଡରେ ପ୍ରହାର କରିଥିବା ଗୋବିନ୍ଦ ପୁଲିସକୁ ସୂଚନା ଦେଇଛି। ପରେ ସେଠାରେ ଗୋବିନ୍ଦ ତଳେ ପଡିଯିବା ପରେ ଅଭିଯୁକ୍ତ ମାନେ ଏକ ଛୁରାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାଡ଼ କରିଥିଲେ। ଏହା ପରେ ଅଭିଯୁକ୍ତ ମାନେ ଗୋବିନ୍ଦର ମୃତ୍ୟୁ ହୋଇଥିବା ଭାବି ପ୍ରଧାନପାଟ ରୋଡସ୍ଥିତ ପାଣିଟାଙ୍କି କଡ଼ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ପୁଲିସକୁ ସୂଚନା ଦେଇଥିଳେ। ଗୋବିନ୍ଦର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଥିବା ଜଣାପଡିଛି। ସେହିପରି ଦେବଗଡ଼ ଥାନା ପୁଲିସ ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।