ନବରଙ୍ଗପୁର,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅର୍ନ୍ତଗତ ଗାଦବାକତରା ପଞ୍ଚାୟତ ଗୁଡ଼ପାଣିପଦର ଗାଁର ଏକ ଗରିବ ପରିବାରକୁ ୧୫ଦିନର ରାସନ ସାମଗ୍ରୀ ଯୋଗାଇ ଦେଲେ ସମାଜ ସେବୀ। ଏହି ଗାଁର ସିତୁ ସାନ୍ତା ପରିବାରକୁ ୧୫ ଦିନର ରାସନ ସାମଗ୍ରୀ ଦେଇଛନ୍ତି ସମାଜସେବୀ ନିରାକାର ବେହେରା, ପଙ୍କଜ କୁମାର ସିପା, ମନୋରଞ୍ଜନ ବିଶୋଇ। ଗୁଡ଼ପାଣିରପଦର ଗ୍ରାମଟି ଜଙ୍ଗଲ ଭିତରେ ଅବସ୍ଥିତ। ପାଦଚଲା ରାସ୍ତାରେ ଯାଇ ସମାଜସେବୀମାନେ ୨୫ କି.ଗ୍ରା. ଚାଉଳ, ୫କି.ଗ୍ରା. ଡାଲି, ଆଳୁ ୫ କି.ଗ୍ରା, ପିଆଜ ୫ କି.ଗ୍ରା, ତେଲ ୨ ଲିଟର, ସୋୟା ବଢ଼ି ୨ କି.ଗ୍ରା, ଚିନି ୪ କି.ଗ୍ରା, ଲୁଣ ୨କି.ଗ୍ରା ଆଦି ଦେବା ସହ ପରିବା ଖର୍ଚ୍ଚ ବାବଦକୁ ୧ହଜାର ଟଙ୍କା ଦେଇଛନ୍ତି। ଉକ୍ତ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି। କମଳି ସାନ୍ତା (୧୨) ଭିନ୍ନକ୍ଷମ ଅଟନ୍ତି। କିନ୍ତୁ ଭିନ୍ନକ୍ଷମ ସାର୍ଟିଫିକେଟ ନଥିବାରୁ ସରକାରୀ ଯୋଜନା ପାଇବାରୁ ବଞ୍ôଚତ ହୋଇଛନ୍ତି। କମଳିଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଖଟିଲେ ଖାଉଥିଲେ ୫ ପ୍ରାଣୀ କୁଟୁମ୍ଭ।
କିନ୍ତୁ ଲକ୍ ଡାଉନ୍ ବଳବତ୍ତର ରହିଥିବାରୁ ସଞ୍ôଚତ ଧନ ବସି ଖାଇ ଦେଇଥିଲେ। କାମ ନ ମିଳିବାରୁ ଭୋକ ଉପାସରେ ରହୁଥିଲେ। ଖବରପାଇ ସମାଜସେବୀ ସହାୟତାର ହାତ ବଢ଼େଇଛନ୍ତି। ଲକ୍ ଡାଉନ୍ ପାଇଁ ସରକାର ଆଗୁଆ ୩ ମାସର ଚାଉଳ ଯୋଗାଇ ଦେଇଛନ୍ତି। ଦୁଃଖର ବିଷୟ ଏମାନଙ୍କର ରାସନକାର୍ଡ଼ ନଥିବାରୁ ସରକାରୀ ସହାୟତା ପାଇ ପାରୁନାହାନ୍ତି। କିନ୍ତୁ ସାନ୍ତାର ସ୍ତ୍ରୀ ଫୁଲମତୀ ସାନ୍ତାର କେବଳ ଆଧାରକାର୍ଡ଼ ରହିଛି। ଅନ୍ୟମାନଙ୍କର ଆଧାର କାର୍ଡ଼ ନାହିଁ। ବାସ୍ତବରେ ଯଦି ସେମାନଙ୍କର ରାସନ କାର୍ଡ଼ ଥାନ୍ତା ବର୍ତ୍ତମାନ ୭୫ କି.ଗ୍ରା, ଚାଉଳ ପାଇଥାନ୍ତେ। ଖାଲି ସେତିକି ନୁହେଁ ଉକ୍ତ ଗ୍ରାମରେ ଏପର୍ଯ୍ୟନ୍ତ କାହାକୁ ୩ ମାସର ଚାଉଳ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ଦ୍ଦିନ ସମୟରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାୟକଙ୍କୁ ପଚାରିବାରୁ କାହାକୁ ଚାଉଳ ଦିଆଯାଇନଥିବା କହିଛନ୍ତି।