ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ମା’ ଲତା ବେହେରା(୩୫) ଓ ଝିଅ ରେଣୁକା ବେହେରା ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିକଟରେ। ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଁଚି କାର ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି।
ସୂଚନାନୁଯାୟୀ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରଠାରେ ଥିବା କୁକୁରିକାନି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ଲତା ଓ ତାଙ୍କ ଝିଅ ରେଣୁକା କୁତାବଗା ଗ୍ରାମକୁ ଫେରୁଥିଲେ। ସେହି ସମୟରେ ଏକ ମାରୁତି ୱେଗେନର କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମଣ୍ଡାଲିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ଝିଅର ଚିକିତ୍ସା ଜାରି ରଖିଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାରଟି କୁକୁରିକାନୀର ଏକ ସରକାରୀ ଡାକ୍ତରଙ୍କ ଗାଡ଼ି ବୋଲି ଜଣାପଡ଼ିଛି।