ମେ’ ୭ ପର୍ଯ୍ୟନ୍ତ ବ୍ରିଟେନରେ ଲକଡାଉନ୍ ବୃଦ୍ଧି

ଲଣ୍ଡନ,ଏଜେନ୍ସି: ବ୍ରିଟେନରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ସେଠାରେ ଲକ୍ ଡାଉନ୍ ମିଆଦ ମେ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍ କ୍ୟାବିନେଟ ବୈଠକ ପରେ ଲକ୍ ଡାଉନ୍ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦେଶରେ ଲାଗୁ ହୋଇଥିବା ସାମାଜିକ ଦୂରତା ବଜାୟ ରଖାଯିବା କଟକଣା ଅନ୍ୟୂନ ୩ ସପ୍ତାହ ପାଇଁ ବଳବତ୍ତର ରହିବ। ଏହାଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଇତିମଧ୍ୟରେ ବ୍ରିଟେନ୍ରେ କରୋନା ମହାମାରୀରେ ମୃତ୍ୟୁସଂଖ୍ୟା ୧୪ ହଜାରରେ ପହଞ୍ଚିଛି। ଗତ ଗୁରୁବାର ଦେଶରେ ୮୬୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଏବେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି।