ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡବିଲ,ଏନ୍ଏନ୍ଏସ୍: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ସହରାଇ ଓରାମଙ୍କ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହିଠାରେ ଶୁକ୍ରବାର ଅପରାହ୍ନ ୩ଟାରେ ତାଙ୍କର ପରଲୋକ ହୋଇଯାଇଛି। ୧୯୪୨ ମସିହା ଜାନୁୟାରୀ ୮ ତାରିଖରେ ସେ ଜନ୍ମଗ୍ରହଣ କରିଥିବାବେଳେ ଜଣେ ଶିକ୍ଷିତ ଆଦିବାସୀ ଯୁବକ ଭାବେ ୧୯୬୭ରେ କେଂଗ୍ରେସ ରାଜନୀତିକୁ ଆସି ବିଧାୟକ ଭାବେ ଲଢ଼ି ହାରି ଯାଇଥିଲେ। ୧୯୭୧ ମସିହାରେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାକୁ ସେ ଜନତା ପାର୍ଟି ତରଫରୁ ନିର୍ବାଚିତ ହୋଇଥିବାବେଳେ ୧୯୭୭ରେ ଲୋକଦଳ, ୧୯୮୦ରେ ଜନତା ପାର୍ଟି, ୧୯୯୦ରେ ଜନତା ଦଳ ଓ ୨୦୦୦ ମସିହାରେ ସ୍ୱାଧୀନ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସେ ନୀଳମଣି ରାଉତରାୟ ଓ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିବାବେଳେ ଜଣେ ଟାଣୁଆ ଆଦିବାସୀ ନେତା ଭାବେ ରାଜ୍ୟରେ ତାଙ୍କର ସୁଖ୍ୟାତି ରହିଥିଲା। ବିଜୁ ଜନତା ଦଳର ସଦସ୍ୟ ଭାବେ ସେ ୨୦୦୫ମସିହାରେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ହୋଇଥିଲେ। ସେ ପ୍ରତ୍ୟକ୍ଷ ରାଜନୀତିରେ ୫ଥର ବିଧାୟକ ହୋଇଥିବାବେଳେ ୫ଥର ବିଧାୟକ ଓ ଥରେ ସାଂସଦ ଲଢ଼ି ପରାଜିତ ହୋଇଥିଲେ। ସେ ଅଳ୍ପଦିନ ପାଇଁ ବିଜେଡି ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ବିଜୁବାବୁଙ୍କ ଏହି ଏକାନ୍ତ ଅନୁଗତ ସହରାଇ ଓରାମ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ମହାପ୍ରୟାଣ ଲାଭ କରିଛନ୍ତି ।

ପକ୍ଷାଗାତ ରୋଗରେ ସେ ଦୀର୍ଘଦିନ ଧରି ପୀଡ଼ିତ ଥିବା ସହ ଶେଷ ସମୟରେ ତାଙ୍କର ପୁଅ, ସ୍ତ୍ରୀ ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଅନେକ ରାଜନେତା ଲକ୍ ଡାଉନ ଥିଲେ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ।