ହୋଟେଲ ଭିତରୁ ପ୍ରଚୁର ପରିମାଣରେ ବିଦେଶୀ ମଦ ଜବତ

ବଲାଙ୍ଗୀର,ଏନ୍ଏନ୍ଏସ୍ : ଭୟାବହ କରୋନାକୁ ନେଇ ସମଗ୍ର ଦେଶରେ ଲକଡାଉନ ଚାଲିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏହାକୁ ଏକ ସୁଯୋଗ ମନେ କରି ଲୁଚାଛୁପାରେ ନିଜ ବ୍ୟବସାୟ ଚଳାଇ ରଖିଛନ୍ତି । ବିଶେଷ କରି ମଦ ବ୍ୟବସାୟୀମାନେ ବଲାଙ୍ଗୀରରେ ଜୋରସୋରରେ ସେମାନଙ୍କ କାରବାର ଚଳାଇ ଆସିଛନ୍ତି । ତେବେ ବଲାଙ୍ଗୀର ଟାଉନ ଥାନା ପୁଲିସ ଏକ ବାର କମ ହୋଟେଲ ଉପରେ ଚଡାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଆଜି ଜବତ କରିଛି । ରେଲୱେ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥ ଉପରେ ଚଢାଉ କରି ସେଠାରୁ ୮୦ ବୋତଲ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଓ ବିଅର କେନ ପୁଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଏହାର ମ୍ୟାନେଜର କଟକ ବଡମ୍ବା ଅଂଚଳର ମହେଶ୍ୱର ରଥଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ବାର ଭିତରେ ମଦ ବିକ୍ରି ହେଉଥିବା ନେଇ ପୁଲିସ ପାଖରେ ସୂଚନା ରହିଥିଲା । ତେଣୁ ସାଦା ପୋଷାକରେ ୨ ଜଣ ପୁଲିସ କର୍ମଚାରୀ ଆଜି ମଦ କିଣିବାକୁ ଯାଇଥିଲେ । ବାର କର୍ମଚାରୀ ମଦ ଦେଲାପରେ ପୁଲିସ ବାଡ ଡେଇଁ ବାର ଭିତରେ ପ୍ରବେଶ କରିଥିଲା ଓ ମଦ ଜବତ କରିଥିଲା । ଏହି ଘଟଣାରେ ଇନ୍ଦ୍ରପ୍ରସ୍ଥ ମାଲିକଙ୍କ ସମ୍ପୃକ୍ତି ରହିଛି ବୋଲି ଟାଉନ ଥାନା ଆଇଆଇସି କହିଛନ୍ତି ।