ଝରିଗାଁ,ଏନ୍ଏନ୍ଏସ୍ : କରୋନା ଭୂତାଣୁସଂକ୍ରମଣରୁ ରକ୍ଷାପାଇବାକୁ ସାମାଜିକ ଦୂରତା ଓ ବ୍ୟାପକ ସଚେତନତା ସୃଷ୍ଟିକରିବା ଦିଗରେ ଗୁରୁତ୍ୱାରୋପ କରି ସମଗ୍ର ଦେଶ ଓ ରାଜ୍ୟରେ ଲକ୍ ଡାଉନ୍ ବ୍ୟବସ୍ଥା ଜାରି କରାଯାଇଛି। ଏହାର କାର୍ଯ୍ୟକାରୀତା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର୍ ପ୍ରୟାସ ଜାରିରହିଛି। ତେବେ ଝରିଗାଁ ବ୍ଲକର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଅଧିବାସୀଙ୍କ ସହ ଭଲମନ୍ଦ ପଚାରି ବୁଝିବା ସହ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ସହ ପରିସ୍ଥିତି ସମୀକ୍ଷା କରିଥିଲେ।
ସର୍ବପ୍ରଥମେ ଝରିଗାଁ ସ୍ଥିତ ଆଦର୍ଶ ସ୍କୁଲରେ ୧୦୦ ବେଡ୍ ଶଯ୍ୟାବିଶିିଷ୍ଟ ସ୍ୱତନ୍ତ୍ର କରୋନାକକ୍ଷର ସ୍ଥିତି ଅନୁଧ୍ୟାନ କରି ଶୌଚାଳୟ ଏବଂ ପରିବେଶ ସଫା ରଖିବା ଦିଗରେ କହିଥିଲେ। ଝରିଗାଁ ହାଇସ୍କୁଲ କକ୍ଷକୁ ବୁଲିବା ପରେ କିସ୍କେ ବ୍ୟାଙ୍କରେ ଭିଡ଼ ନିୟନ୍ତ୍ରଣ ଓ ସାମାଜିକ ଦୂରତା ସମ୍ବନ୍ଧରେ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ କୁଟ୍ରିଛାପର ପଞ୍ଚାୟତ ଏବଂ ଚଚ୍ଛା ପଞ୍ଚାୟତ ଗସ୍ତକରିବା ସହ ଭେଜିଗୁଡ଼ା ଗ୍ରାମ ଗସ୍ତକରି ଦ୍ୱାରକୁ ପହଞ୍ôଚ ମେଡିକାଲ ଟିମ୍ ଦେଉଥିବା ସ୍ୱାସ୍ଥ୍ୟସେବାଗୁଡ଼ିକ ଅନୁଧ୍ୟାନ କରିଥିଲେ। ଚଚ୍ଛା କିସ୍କେ ବ୍ୟାଙ୍କରେ ସାନିଟାଇଜର୍ ନଥିବା ଦେଖି ଜିଲ୍ଲାପାଳ ନିଜସାଥିରେ ରଖିଥିବା ସାନିଟାଇଜର୍ ବ୍ୟବହାର ପାଇଁ ସେମାନଙ୍କୁ ପ୍ରଦାନ କରିଥିଲେ।
ସାମାଜିକ ଦୂରତା ପ୍ରତି ଦୃଷ୍ଟିଦେବାକୁ କହିଥିଲେ। ଜିଲ୍ଲାପାଳଙ୍କ ଗସ୍ତବେଳେ ଅନ୍ୟମାନଙ୍କ ମଧ୍ୟରେ ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ, ଏବିଡ଼ିଓ ପ୍ରଫୁଲ୍ଲ କହଁର, ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ ନାୟକ, ଯନ୍ତ୍ରୀ ପ୍ରଶାନ୍ତ ଚୌଦ୍ରୀ, ଯନ୍ତ୍ରୀ ସୁନୀଲ ସାମଲ, ପଞ୍ଚାୟତ ଅଧିକାରୀ ଦେବାଶିଷ ଦାସ, ସିଡ଼ିପିଓ ଆର ବାସନ୍ତୀ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସଚିବ ସୁରେଶ ଶାସ୍ତ୍ରୀଙ୍କ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର କରୋନା ଯୋଦ୍ଧା ପ୍ରମୁଖ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।