କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, କୋଭିଡ-୧୯ ଡାକ୍ତରଖାନର ସମୀକ୍ଷା କଲେ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ। ସଚିବମାନେ ଏକ ହେଲିକ୍ୟାପ୍ଟର ଯୋଗେ ଆସି କେନ୍ଦୁଝର ରାଇସୁଆଁ ସ୍ଥିତ ବିମାନ ଘାଟିରେ ଅବତରଣ କରିବା ପରେ କାର ଯୋଗେ ଟାଉନ ଥାନା ଅନ୍ତର୍ଗତ ରାଙ୍କି ପଯ୍ୟନ୍ତ ଯାଇଥିଲେ । ସେଠାରେ ଅନ୍ୱେଷ ହଷ୍ଟେଲରେ ନିର୍ମିତ ସ୍ୱତନ୍ତ୍ର କୋଭିଡ-୧୯ ଡାକ୍ତରଖାନ ବୁଲି ଦେଖିଥିଲେ ।

କିଛିଦିନ ପୂର୍ବରୁ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଡାକ୍ତରଖାନା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏହି ଡାକ୍ତରଖାନାରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ସହିତ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ହେଉଥିବା ଜଣାପଡିଛି। ଜିଲ୍ଲାରେ ଏବେ ପର୍ୟ୍ୟନ୍ତ କରୋନା ପଜିଟିଭ ଚିହ୍ନଟ ହୋଇ ନଥିଲେ ମଧ୍ୟ ସମ୍ଭାବ୍ୟ କରୋନା ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଚିବମାନଙ୍କର ଗସ୍ତ ଅବସରରେ ଡାକ୍ତରଖାନ ପ୍ରସ୍ତୁତି କାର୍ୟ୍ୟର ସମୀକ୍ଷା, ସରକାରଙ୍କ ଦ୍ୱାରା ଧାର୍ୟ୍ୟ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଆଇସିୟୁର ସମୀକ୍ଷା କରି କୋଭିଡ ଡାକ୍ତରଖାନା କାର୍ୟ୍ୟର ଅଗ୍ରଗତି ଦେଖି ସନ୍ତୋଷ ପ୍ରକଟ କରିଛନ୍ତି।

ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ଼ ଅଶୋକ ଦଶ, ଚୁକ୍ତି ସ୍ୱାକ୍ଷର କରିଥିବା ଡାକ୍ତଖାନା କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।