ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରିଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ରାଉରକେଲା,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମେ ଗତ ୧୨ ତାରିଖରେ ୪୮ ଘଣ୍ଟା ଲାଗି ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯିବା ଫଳରେ ଆଜି (୧୬ ତାରିଖ) ଦିନ ସାଢ଼େ ୧୧ଟା ପର୍ୟ୍ୟନ୍ତ କଟକଣା ଜାରି ରହିଥିଲା। ମାତ୍ର ଆଜି ପୁଣି ଏହାକୁ ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ୟ୍ୟନ୍ତ କଟକଣା ଜାରି ରହିବ।

ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଆକ୍ରାନ୍ତ ରାଉରକେଲା ନିକଟସ୍ଥ ବିଶ୍ରା ବ୍ଲକ୍ ଅନ୍ତର୍ଗତ ଆସିଆନା କଲୋନୀ ଅଞ୍ଚଳର ଚିହ୍ନଟ ହେବା ପରେ ବିଶ୍ରାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ୬୭ ବର୍ଷର ବୃଦ୍ଧ ଓ ଜଣେ ୧୮ ବର୍ଷିୟ ଯୁବକ। ପ୍ରଥମ ଆକ୍ରାନ୍ତ ଜଣକ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ଓ ଦ୍ୱିତୀୟ ଜଣଙ୍କ ଯାଜପୁର ଅଞ୍ଚଳ ଗସ୍ତ କରି ବିଶ୍ରା ଫେରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା।