ଦିଲ୍ଲୀ ତବଲିଗିରେ କାର୍ଯ୍ୟକ୍ରମ ଆୟୋଜନ ଘଟଣା: ମୌଲାନା ସାଦଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ,ଏଜେନ୍ସି: ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ କନ୍ଧଲଭିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଦିଲ୍ଲୀର ନିଜାମୁଦ୍ଦୀନସ୍ଥିତ ତବଲିଗି ମରକାଜରେ ହୋଇଥିବା ଜମାତ କାର୍ୟ୍ୟକ୍ରମରେ କିଛି ଲୋକଙ୍କ କରୋନା ଭାଇରସରେ ମୃତ୍ୟୁ ଓ ଜମାତରେ ସାମିଲ ଥିବା ଲୋକଙ୍କୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ପରେ ପୁଲିସ ଏଭଳି ପଦକ୍ଷେପ ନେଇଛି।

ଆଇନ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ତଦନ୍ତ ସମୟରେ ଅଧିକ ଗମ୍ଭୀର ଅପରାଧ ମିଳଥାଏ, ତା’ହେଲେ ପୁଲିସ ମାମଲାରେ ଆହୁରି ଅଧିକ ଧାରା ଯୋଡ଼ିବାର ସ୍ୱତନ୍ତ୍ର ଅଧିକାର ଅଛି। ପୁଲିସ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସାଦ ଓ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ମାମଲାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୪ ଯୋଡ଼ି ଦିଆଯାଇଛି । ବରିଷ୍ଠ ଆଇନଜୀବୀ ମୁକୁଲ ରହତୋଗୀ ଗଣମାଧ୍ୟମକୁ କହିଛନ୍ତି, ତବଲିଗି ଜମାତର ଲୋକମାନେ ମାର୍ଚ୍ଚରେ ହୋଇଥିବା କାର୍ୟ୍ୟକ୍ରମରେ ଘୋର ଅପରାଧିକ ଅବହେଳା କରିଥିଲେ । ଏମାନେ ଦେଶବ୍ୟାପୀ ପଜିଟିଭ (କରୋନା) ବଢ଼ିବା ପାଇଁ ଦାୟୀ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି ଯେ, ସେମାନେ ଜାଣିଥିଲେ ଯେ, ଏଭଳି କାର୍ୟ୍ୟକ୍ରମର ଆୟୋଜନ ଦ୍ୱାରା ସଂକ୍ରମଣ ବ୍ୟାପିପାରିବା ଆଶଙ୍କା ରହୁଛି ।

ଆଇନଜୀବୀ ରୋହତଗୀ କହିଛନ୍ତି, ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର । ମୌଲବୀଙ୍କୁ ଶେଷ ଥର ପାଇଁ ମାର୍ଚ୍ଚ ୨୮ରେ ଦେଖାଯାଇଥିଲା । ପରେ ସେ ଏକ ଅଡିଓ ବାର୍ତ୍ତା ଜରିଆରରେ ନିଜେ ଏକାକୀ ସଂଗରୋଧରେ ଅଛନ୍ତି ବୋଲି ଦାବି କରିଥିଲେ । ଆଇପିସିର ଧାରା ୩୦୪ ଅନୁସାରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ । ଏହି କାରାଦଣ୍ଡ ୧୦ ବର୍ଷ ପାଇଁ ବଢ଼ାଯାଇ ପାରିବାର ଆଇନ ରହିଛି ।