ଡବ୍ଲୁଏଚଓକୁ ଯୋଗାଉଥିବା ପାଣ୍ଠିରେ ରୋକ୍‌ ଲଗାଇଲା ଆମେରିକା

ଓ୍ୱାଶିଂଟନ,ଏଜେନ୍ସି: ଡବ୍ଲୁଏଚଓକୁ ଯୋଗାଉଥିବା ପାଣ୍ଠିରେ ରୋକ୍‌ ଲଗାଇଲା ଆମେରିକା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରି ପକ୍ଷପାତିତା କରୁଥିବା ଦର୍ଶାଇଛି ଆମେରିକା। ଏଭଳି ଅଭିଯୋଗ ଆଣି ଡବ୍ଲୁଏଚଓକୁ ଯେଉଁ ପାଣ୍ଠି ଯୋଗାଉଥିଲା ସେଥିରେ ରୋକ୍ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଏ ସମ୍ପର୍କରେ ନିଜେ ଟ୍ରମ୍ପ ଘୋଷଣା କରିଛନ୍ତି। ଆମେରିକା ଡବ୍ଲୁଏଚଓକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବାବେଳେ ଚାଇନା ମାତ୍ର ୪୦ ମିଲିଅନ ଡଲାର ଦେଉଥିଲା। ଚାଇନା କୋରୋନାକୁ ନେଇ ଅନେକ ତଥ୍ୟ ଲୁଚାଉଛି। ଏମିତିକି କୋରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ନିଜେ ଡବ୍ଲୁଏଚଓ ବିଫଳ ବୋଲି ଟ୍ରମ୍ପ କହିଛନ୍ତି। ଯେତେବେଳେ ଚାଇନାରେ ଏହି ମହାମାରୀ ବିସ୍ତାର କରୁଥିଲା ସେତେବେଳେ ଡବ୍ଲୁଏଚଓ ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।