ବଲାଙ୍ଗୀର,ଏନ୍ଏନ୍ଏସ୍ : ବଲାଙ୍ଗୀରରେ ଆଜି କୋଭିଡ୍ ହସପିଟାଲ କିସ ପରିସରରେ କାର୍ଯ୍ୟକ୍ଷମ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ୯୦ଟି ଶଯ୍ୟା ରହିଥିବା ବେଳେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଉପକରଣରେ ସଜ୍ଜିତ ୧୦ଟି ଶଯ୍ୟା ରହିଛି । ୧୦ ରୁ ୧୫ ଦିନ ଭିତରେ ଆଇସିୟୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ ବୋଲି ଏହି ଅବସରରେ କିସ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି । ଏହି ଡାକ୍ତରଖାନାରେ ୩ ଜଣ ଡାକ୍ତର ରହିଥିବା ବେଳେ ଆବଷ୍ୟକ ସଂଖ୍ୟକ ନର୍ସ ଓ ପାରା ମେଡିକାଲ ଷ୍ଟାଫ ମଧ୍ୟ ରହିଛନ୍ତି । ଏହି ଡାକ୍ତରଖାନାରେ ଭର୍ତି ହେଉଥିବା ରୋଗୀମାନଙ୍କ ପାଇଁ ଯଦି ଅଧିକ ଚିକିତ୍ସାର ଆବଷ୍ୟକ ହୁଏ ତା’ହେଲେ ଉନ୍ନତତର ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଆବଷ୍ୟକ ଆମ୍ବୁଲାନ୍ସ ମଧ୍ୟ ରହିଛି ବୋଲି ଜିଲ୍ଲାପାଳ କହିଥିଲେ ।
ଯେତେବେଳେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାମାରୀ ବୋଲି ଘୋଷଣା କରାଗଲା ସେତେବେଳେ ପ୍ରତି ପଂଚାୟତରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଧେଶ ରହିଥିଲା । ସେହିକ୍ରମରେ ଜିଲ୍ଲାର ୩୧୭ ପଂଚାୟତରେ ୧୩ ହଜାରରୁ ଅଧିକ ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି ୟୁଏଲବି ମାନଙ୍କରେ ୩୩୦୦ରୁ ଅଧିକା ଶଯ୍ୟା ପ୍ରସ୍ତୁତ କରାଯାଇଛି । କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୩ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କ ପାଖରେ ଅତି ସାଧାରଣ ଲକ୍ଷଣ ରହିଥିବ ସେମାନଙ୍କୁ କରୋନା କେଆର ସେଣ୍ଟରରେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଂଟାଇନରେ ରଖାଯିବ । ସେହି ଅବଧି ପରେ ସେମାନେ ସୁସ୍ଥ ଥିଲେ ଛାଡି ଦିଆଯିବ । କିନ୍ତୁ ଘରେ ୧୪ ଦିନ କ୍ୱାରେଂଟାଇନରେ ରହିବା ପାଇଁ ଉପଦେଶ ରହିବ । ଏଠାରେ ଆୟୁଷ ଡାକ୍ତରମାନେ ଚିକତ୍ସା ଦାୟିତ୍ୱରେ ରହିବେ ।
ଦ୍ୱିତୀୟ ପର୍ଯ୍ୟାୟ ହେଉଛି କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ସାଧାରଣରୁ ମୋଡେରେଟ ଆଡକୁ ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗତି କରୁଥିବ ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ । ଏଥିପାଇଁ ବଲାଙ୍ଗୀର ପୋଲିଟେକନିକ କଲେଜରେ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଉଛି । ଏଠାରେ ୨୪ ଘଂଟା ଧରି ଆଲୋପାଥିକ ଡାକ୍ତର , ନର୍ସ ଓ ପାରା ମେଡିକାଲ ଷ୍ଟାପ ଚିକିତ୍ସା ଦାୟିତ୍ୱରେ ରହିବ । ଏଠାରେ ଯଦି କୌଣସି ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦିଏ ତାହେଲେ ତାଙ୍କୁ ନିକଟସ୍ଥ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯିବ । ଯାହାକି ବଲାଙ୍ଗୀର କିସ ପରିସରରେ କାର୍ଯ୍ୟକ୍ଷମ ହୋଇ ସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ତରଫରୁ କରୋନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ଓ ଯେଉଁମାନେ କଟକଣାକୁ ଅବମାନନା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ବଲାଙ୍ଗୀରରେ କୋଭିଡ୍ ହସପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ , ରାଜ୍ୟ ଖଣି ନିଗମ ଓ କିସ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ , ସିଡିଏମଓ ଡା.ନାରାୟଣ ଥନାପତି , କିସର ଡାକ୍ତର ଅଭିନାଶ ନାୟକ ଓ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।