ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ଉଦଘାଟିତ ଜିଲ୍ଲାରାଜ୍ୟ By Nitidin On Apr 13, 2020 Share ମାଲକାନଗିରି,ଏନ୍ଏନ୍ଏସ୍ : କରୋନା ଭୂତାଣୁର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ପୁରୁଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୋଠାରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ଉଦଘାଟିତ ହୋଇଛି । ଏହାକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଉଦଘାଟନ କରିଛନ୍ତି । ଏ ଅବସରରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ହସପିଟାଲର ସମସ୍ତ ୱାର୍ଡ ବୁଲିବା ସହ ଆବଶ୍ୟକୀୟ ସରଞ୍ଜାମ ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଅରୁଣ କୁମାର ପାଢ଼ୀ ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଆଇ.ସି.ୟୂ ପରାମର୍ଶଦାତା ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡଃ.କୃଷ୍ଣ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳଙ୍କୁ କୋଭିଡ ହସପିଟାଲର ସମସ୍ତ ଚିକିତ୍ସା ସୁବିଧା ଓ ସରଞ୍ଜାମ ଉପରେ ଅବଗତ କରାଇଥିଲେ। ଏଠାରେ କରେନା ରୋଗୀଙ୍କ ଚିକିତ୍ସା ପାଇଁ ଆଇସୋଲେସନ ୱାର୍ଡ, ପଜିଟିଭ ୱାର୍ଡ,ଅକ୍ସିଜନ, ଭେଂଟିଲେଟର ବ୍ୟବହାର, ୱାର୍ଡ, ସଫା ସୁତରା ରଖିବା ପାଇଁ ଆନୁସଙ୍ଗିକ ସୁବିଧା, ଜୀବନରକ୍ଷା କବଚ, ଔଷଧ କେନ୍ଦ୍ର ସମେତ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାରେ ୯୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୫୧ଟି ରିପୋର୍ଟ ନେଗେଟିଭ୍ ଥିବାବେଳେ ଅବଶିଷ୍ଟ ରିପୋର୍ଟ ଆସି ନଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ଟି ଶର୍ଯ୍ୟା ପ୍ରତିଷ୍ଠା କରାଯାଇଥିବା ବେଳେ ଏଥିରେ ୪ ଟି ଆଇ.ସି.ୟୂ ଓ ୪ ଟି ଭେଂଟିଲେଟରର ସୁବିଧା ରହିଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ୧୦୦ ଶର୍ଯ୍ୟାକୁ ବୃଦ୍ଧି କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଏହି ଚିକିତ୍ସାଳୟ ପାଇଁ ସରକାରଙ୍କ ନିୟମ ଅନୁଯାୟୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିବା ବେଳେ ସରକାରଙ୍କୁ ବିଶେଷଜ୍ଞ ନିଯୁକ୍ତି କରିବାକୁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ଜିଲ୍ଲାରେ ବର୍ତମାନ ସୁଦ୍ଦା କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବାବେଳେ ଏହାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ.ଅନିଲ କୁମାର ମିଶ. ଡ.ସପନ କୁମାର ଡିଣ୍ଡା ଓ ଅନ୍ୟାନ୍ୟ ଡାକ୍ତର ଓ ଅଧିକାରୀମାନେ ଉପସ୍ଥିତ ଥିଲେ । Share