ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛି ନିଖିଳ ଓଡ଼ିଶା ପାଇକ ମହାସଂଘ। ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁଁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ମନୋଭାବ ପାଇଁ ପାଇକ ମହାସଂଘ ସେମାନଙ୍କ ସହିତ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ କରିଛି।
ଏ ନେଇ ସାମାଜିକ ଦୂରତ୍ବକୁ ରକ୍ଷା କରି ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବିଏମ୍ସି ସଫେଇ କର୍ମଚାରୀଙ୍କୁ ନବ ବସ୍ତ୍ର ଓ ହାତ ଧୋଇବା ପାଇଁ ସାବୁନ ଦେଇ ସେମାନଙ୍କୁ ରନ୍ଧାଖାଦ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭିଏସ୍ଏସ୍ ନଗର ଅଞ୍ଚଳ ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଏସ୍ଭିଆର ଇନ୍ଦ୍ରଜିତ ନାୟକ ଓ ରାମକୃଷ୍ଣ ଧନ୍ୱାରଙ୍କ ସମେତ ୫୦ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭିଏସ୍ଏସ୍ ନଗର ହାଟରେ ଆୟୋଜିତ ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ପ୍ରତ୍ୟେକ ସଫେଇ କର୍ମଚାରୀ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।
ଏହି ଅବସରରେ ପାଇକ ମହାସଂଘ ରାଜ୍ୟ ସଭାପତି ତଥା ପାଇକ ମଉଡ଼ମଣୀ ଅଶୋକ କୁମାର ପାଲଟାସିଂହ ଯୋଗଦେଇ କହିଥିଲେ ଯେ ମହାମାରୀ ‘କରୋନା’ ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ । ଏହି ଜୀବନ କରୋନା ରୂପି ରାକ୍ଷସ ଅନେକ ନିରୀହ ଜୀବନ ନେଇସାରିଥିବାବେଳେ ବ୍ୟାପକ ସଚେତନତା ଦ୍ୱାରା ଏହା ରୋକାଯାଇପାରିବ । ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ସଫେଇ କର୍ମଚାରୀ ଅନ୍ୟତମ ।
ପରିବେଶକୁ ସଫାସୁତୁରା ରଖି କରୋନା ରାକ୍ଷସ ସହିତ ସମ୍ମୁଖ ଯୁଦ୍ଧ କରି ‘ମହାନାୟକକ’ର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସଫେଇ କର୍ମଚାରୀ । ଏହି ମହାନ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ଗହଣରେ ଓଡ଼ିଆ ପାଇକ ସଂଘ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ କରି ନିଜକୁ ଧନ୍ୟ ମନେ କରିଛି।