ଲକଡାଉନ ସମୟରେ ଜିଲ୍ଲାରେ କେହି ବି ଭୋକିଲା ରହିବେ ନାହିଁ: ପ୍ରଶାସନ, ୨୧୫୫ ଜଣ ଖାଇଲେ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାରେ ମହାମାରୀ କରୋନା ଯୋଗୁଁ ଲକଡାଉନ ସମୟରେ ଯେପରି କେହି ଭୋକିଲା ରହିବେ ନାହିଁ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ସାମଲ ଯେଭଳି ଜଣେ ବି ଗରୀବ, ଅସହାୟ ବାସହୀନ ବ୍ୟକ୍ତି ଭୋକିଲା ରହିବେ ନାହିଁ ସେଥିପାଇଁ ସମସ୍ତ ବି.ଡି.ଓ. ଏବଂ ପଞ୍ଚାୟତଗସ୍ତରେ ଯାଉଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏ ସଂପର୍କରେ ନିଶ୍ଚିତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆବଶ୍ୟକସ୍ଥଳେ ତୁରନ୍ତ ସେମାନଙ୍କୁ ପ୍ରତ୍ୟେକ ଦିନ ବିତରଣ କରାଯାଉଥିବା ରନ୍ଧାଖାଦ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ କହିଛନ୍ତି।
୫୬ଟି ପଞ୍ଚାୟତରେ ୨୧୫୫ ଏବଂ ପୈାରାଞ୍ଚଳରେ ୩୦୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ଜଣାଯାଇଛି ।

ସେଥିମଧ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବ୍ଲକର ୨୩ଟି ପଞ୍ଚାୟତରେ ୮୭୮ଜଣ ବୟସ୍କ ଏବଂ ୧୩୪ଜଣ ଶିଶୁ, ରିଆମାଳ ବ୍ଲକର ୧୮ଟି ପଂଚାୟତରେ ୪୬୨ଜଣ ବୟସ୍କ ଏବଂ ୯୮ଜଣ ଶିଶୁ ଓ ତିଲେଇବଣି ବ୍ଲକର ୧୫ଟି ପଞ୍ଚାୟତରେ ୫୨୧ଜଣ ବୟସ୍କ ଓ ୬୨ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ୩୬,୬୬୯ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।