ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଏକ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୫୨୯କୁ ଓ ମୃତକଙ୍କ ସଂଖ୍ୟା ୨୪୨କୁ ବୃଦ୍ଧି ପାଇଛି। ୬୫୨ ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ୬,୬୩୪ ଜଣ ଚିକିତ୍ସାଧୀନ ଅଛନ୍ତି। ଜଣେ ରୋଗୀ ଦେଶାନ୍ତର ହୋଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ପୁଲିସ ସୁରକ୍ଷା ଓ କ୍ୱାରେଣ୍ଟାଇନ୍ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଚିଠିଲେଖି ଅନୁରୋଧ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲା କହିଛନ୍ତି ଯେ ଦେଶରେ ଏବେ ୫୮୬ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରେ ଏକ ଲକ୍ଷରୁ ଅଧିକ ଶଯ୍ୟା ରହିଛି।
ଲକ୍ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଲେ ଯେ କୋଭିଡ-୧୯ର ମୁକାବିଲା ପାଇଁ ଲକ୍ଡାଉନ୍ କରିବା ଓ ସଙ୍ଗରୋଧରେ ରହିବା ନିହାତି ଆବାଶ୍ୟକ। ତାହା ହୋଇନଥିଲେ ଏବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ôଚଥାନ୍ତା। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୭,୫୦୦ ପଜିଟିଭ ମଧ୍ୟରୁ ୭୧ ଜଣ ହେଉଛନ୍ତି ବିଦେଶୀ। ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ। ଆଜି ସୁଦ୍ଧା ମହାରାଷ୍ଟ୍ରରେ ୧,୫୭୪ ଆକ୍ରାନ୍ତ ହୋଇଥିବା ବେଳେ ୧୧୦ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁ ଦ୍ୱିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।
ତାମିଲନାଡୁରେ ୯୧୧ ଜଣ ଓ ଦିଲ୍ଲୀରେ ୯୦୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା କ୍ଷେତ୍ରରେ ମହରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନରେ ମଧ୍ୟ ପ୍ରଦେଶ ରହିଛି ଏବଂ ସେଠାରେ ୩୩ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଦିଲ୍ଲୀରେ ୧୪, ତେଲଙ୍ଗାନାରେ ୯, ଗୁଜୁରାଟରେ ୧୯, ପଞ୍ଜାବରେ ୧୧, କର୍ଣ୍ଣାଟକରେ ୬, ପଶ୍ଚିମ ବଙ୍ଗରେ ୫, ଜମ୍ମୁ-କଶ୍ମୀରରେ ୪, ଉତ୍ତର ପ୍ରଦେଶରେ ୪, କେରଳରେ ୨, ଆନ୍ଧ୍ର ପ୍ରଦେଶରେ ୬, ରାଜସ୍ଥାନରେ ୩, ତାମିଲନାଡ଼ୁରେ ୮ ଏବଂ ବିହାର, ଓଡ଼ିଶା, ଆସାମ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ମିଜୋରାମରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିଛି।