ଲକଡାଉନକୁ ସହମତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସର ମୁକାବିଲା ନେଇ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାରର ପ୍ରସ୍ତାବ ଦେଇଛନ୍ତି। ଏପ୍ରିଲ ୧୪ରେ ଲକଡାଉନ୍ ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ହାତ ତିଆରି ମାସ୍କ ପିନ୍ଧି ଥିବା ବେଳେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ପିନ୍ଧିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି। କୋଭିଡ୍-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ୱା କିଛି କହିବାକୁ ଚାହୁଁଥିଲେ ମୋତେ କହିପାରିବେ। ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କହି ରଖୁଛୁ ଯେ ଏଯାବତ ଏହି ଭାଇରସରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭,୪୦୦ ସଂକ୍ରମିତ ହୋଇଛନ୍ତି। ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଅନେକ ରାଜ୍ୟ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଥିବା ସୂଚନା ରହିଛି।