ଚୀନକୁ ପୁଣି ଫେରିଲା କରୋନା, ୬୩ ନୂଆ ଆକ୍ରାନ୍ତ ଚିହ୍ନଟ

ବେଇଜିଂ,ଏଜେନ୍ସି: ଚୀନ ସହରରେ ପୁଣି କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ଗତ ଦିନରେ ଚୀନରେ କରୋନା ସଂକ୍ରମଣ ସ୍ଥିତି ଆୟତ୍ତକୁ ଆସିଥିବାବେଳେ ଏ ନେଇ ଉହାନ ସହରରୁ ଲକଡାଉନ ଉଠାଯାଇଥିଲା। ଏହା ପରେ ଚୀନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଅନ୍ୟ ୬୧ ଜଣ ବିଦେଶରୁ ଫେରିଥିବା ଚୀନ ନାଗରିକ ରହିଛନ୍ତି। ତେବେ ବିଗତ କିଛିଦିନ ହେବ ଚୀନର କୌଣସି ନାଗରିକ କରୋନାରେ ଆକ୍ରାନ୍ତ ହେଉ ନ ଥିବା ବାରମ୍ବାର ରିପୋର୍ଟ ପ୍ରକାଶ ପାଉଥିଲା।

ଚୀନର ସ୍ବାସ୍ଥ୍ୟ ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ, ୨ମାସରୁ ଅଧିକ ସମୟ ପରେ ଗତ ବୁଧବାର ଲକଡାଉନ ହଟାଯାଇଥିଲା। କିନ୍ତୁ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପାଇଁ ଚିନ୍ତା ବଢ଼ିଛି।

ଚୀନ ସ୍ବାସ୍ଥ୍ୟ ପ୍ରାଧିକରଣ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ଦେଶରେ ୨ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୩୩୩୫ରେ ପହଞ୍ଚିଛି। ସେହିପରି ନୂଆ ୬୩ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮୧ ହଜାର ୮୬୫ରେ ପହଞ୍ଚିଛି।