ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ୨୧ ଦିନ ଯାଏଁ ଲକ୍ ଡାଉନ୍ ଘୋଷଣା କରିଥିଲେ। ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଥିବା ବେଳେ ଲକ୍ ଡାଉନ୍ ହଟିବା ନା ଏହାର ଅବଧି ବୃଦ୍ଧି ପାଇବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ବୁଧବାର ଦିଲ୍ଲୀରେ ବସିଥିବା ଏକ ସର୍ବଦଳୀୟ ବୈଠକରେ ଏହାର ଅବଧି ବୃଦ୍ଧି ନେଇ ସଙ୍କେତ ମିଳିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଦଳୀୟ ବୈଠକ କରିଥିଲେ। ଏହି ବୈଠକରେ ବିରୋଧୀ ଦଳର ନେତା ସାମିଲ ହୋଇଥିବା ବେଳେ କରୋନା ମୁକାବିଲା ସହ ଲକ୍ ଡାଉନ୍ ଅବଧି ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏଥିରେ ଲକ୍ ଡାଉନର ଅବଧିକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ମୋଦି ସଙ୍କେତ ଦେଇଥିବା ଜଣାପଡ଼ିଛି ।