ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଛି। ୨ ଦିନର ବ୍ୟବଧାନ ପରେ ପୁଣି ଥରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ତେବେ ଆଗାମୀ ଦିନରେ ତାପମାତ୍ରା ବିଶେଷ ବଢ଼ିବାର ନଥିବାବେଳେ ଗରମ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଆଜି ଅପରାହ୍ଣରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ ଢେଙ୍କାନାଳର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ସେହିପରି ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ତଥା ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ବର, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।