ବିପୁଳ ପରିମାଣର ବିଦେଶୀ ମଦ ଜବତ, ୬ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍ : ସାରା ଦେଶ ତଥା ରାଜ୍ୟରେ ଲକ ଡାଉନକୁ କଡାକଡି ଭାବରେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳ ସ୍ୱରୁପ ଦେଶରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହୁଛି । ହେଲେ ମଦୁଆଙ୍କ ମଦ ଚାହିଦା ମେଂଟାଇବା ଓ ଅଧିକା ପଇସା ରୋଜଗାର ପାଇଁ ଝାରସୁଗୁଡା ଜିଲ୍ଲାରେ କେତେକ ମଦ ବ୍ୟବସାୟୀ ସକ୍ରିୟ ଅଛନ୍ତି। ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ମଦ ବିକ୍ରି କରୁଥିବାବେଳେ ସୋମବାର ରାତିରେ ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ଗାନ୍ଧିନଗର ଅଂଚଳରୁ ୧୯୦ଟି ବିଦେଶୀ ମଦ ବୋତଲ, ୫୦ ଖାଲି ବୋତଲ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ବେଲପାହାଡ ପୁଲିସ। ଗିରଫ ଅଭିଯୁକ୍ତମାନେ ସୋନୁ କୁମାର ସିଂ(୨୪), ଦିପକ କୁମାର(୩୮), ଶଙ୍କର ପ୍ରସାଦ(୪୮), ରଞ୍ଜନ ବିଶ୍ୱାଳ(୪୨), ଅନିଲ କୁମାର(୪୨), ନରେନ ଗୁପ୍ତା(୨୫) ବୋଲି ଜଣାପଡିଛି।

ସୁଚନା ଅନୁଯାୟୀ, ଗାନ୍ଧିନଗର ଅଂଚଳରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବାନେଇ ପୁଲସକୁ ଖବର ମିଳିଥିଲା। ସୋମବାର ରାତିରେ ଏହି ଅଂଚଳରେ ବେଆଇନ ଭାବରେ ମଦ ଚାଲାଣ ହେଉଥିବାବେଳେ ରାତି ୧୧ଟାରେ ବେଲପାହାଡ ପୁଲିସ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହାସହ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ବେଲବଣ୍ଡରେ ଅଭିଯୁକ୍ତମାନଙ୍କୁ ଛାଡିଥିବା ପୁଲିସ ସୂଚନା ଦେଇଛି ।